କରୋନା ସଚେତନତାରେ ଶିଶୁକ୍ଲବ ସାମିଲ

ଦାରିଙ୍ଗବାଡ଼ି,୧୬।୪(ଡି.ଏନ.ଏ)- କରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି। ଏଥିରେ ପୋଲିସ ଠାରୁ ପ୍ରଶାସନ, ସ୍ବେଚ୍ଛାସେବୀ ସମନ୍ତେ ଲାଗି ପଡିଛନ୍ତି। ଶିଶୁମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଦାରିଙ୍ଗବାଡ଼ି ବ୍ଲକ ଅନ୍ତରଙ୍ଗ ଶିଶୁ କ୍ଲବ ଏବଂ ଯୁବ ସଂଘ ପକ୍ଷରୁ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଯୁବସଂଘ ପକ୍ଷରୁ ଗାଁ ଗାଁ ବୁଲି ବ୍ଲିଚିଂ ପକାଇ ବିଶୋଧନ କରାଯାଉଛି। ଅନ୍ତରଙ୍ଗ ଶିଶୁ କ୍ଲବ ପକ୍ଷରୁ ମଧ୍ୟ ହାତଧୋଇବା କୌଶଳ ଓ ସାମାଜିକ ଦୂରତା ନେଇ ଶିଶୁମାନେ ସଚେତନ କରୁଛନ୍ତି। ଗୁରୁବାର ଗ୍ରୀନବାଡ଼ି ପଞ୍ଚାୟତର କୁତୁବାଡ଼ି ଗ୍ରାମରେ ଶିଶୁ କ୍ଲବ ସଭାପତି ଦେବାଶିଷ ପ୍ରଧାନ (୭ମ ଶ୍ରେଣୀ)ଙ୍କ ନେତୃତ୍ୱରେ ସଦସ୍ୟମାନେ ଲୋକଙ୍କୁ ସଚେତନ କରିଥିଲେ। ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡାପାଟଙ୍କ ପରାମର୍ଶ କ୍ରମେ ଯୁବ ସଂଘର ବ୍ଲକ ସଂଯୋଜକ ଧନେଶ୍ୱର ସାହୁ ଏବଂ ପ୍ରିୟବ୍ରତ ବିଶୋୟୀ ଉକ୍ତ ବ୍ଲକ ବାଡାବାଙ୍ଗା ସମେତ ସିକକେତା, ଡାଡ଼ାକେତା ଏବଂ ସମାଗଟା ଗ୍ରାମରେ ବ୍ଲିଚିଂ ସିଞ୍ଚନ କରିଛନ୍ତି।