କରୋନା ସଙ୍କଟ: ୮୬ ପ୍ରତିଶତ ଭାରତୀୟଙ୍କୁ ଘାରିଛି ଚାକିରି ହରାଇବା ଭୟ

ଓ୍ବାଶିଂଟନ,୬।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀର ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ପୃଥିବୀ ସହିତ ବହୁ ଦେଶର ଆର୍ଥିକ ମାନଦଣ୍ଡକୁ କରୋନା ଦୋହଲାଇ ଦେଇଛି। ଏପରିସ୍ଥଳେ ଭାରତର ୮୬ ପ୍ରତିଶତ ଲୋକଙ୍କ ମନରେ ଏବେ ଚାକିରି ହରାଇବା ଭୟ ଦେଖାଦେଇଛି। ବ୍ରିଟେନ୍‌ର ରିସର୍ଚ୍ଚ କମ୍ପାନୀ କ୍ରୋସ୍‌ବେ ଟେକ୍ସଟୋର୍‌ ଗ୍ରୁପ୍‌ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏହା ଦର୍ଶାଯାଇଛି। ଭାରତ ପରେ ହଂକଂର ୭୧ ପ୍ରତିଶତ ଲୋକଙ୍କୁ ଚାକିରି ହରାଇବା ଭୟ ଘାରିଥିବା ରିପୋର୍ଟରେ ପ୍ରକାଶ ପାଇଛି। ସେହିପରି ବ୍ରିଟେନ୍‌ର ୩୧ ପ୍ରତିଶତ, ଅଷ୍ଟ୍ରେଲିଆର ୩୩ ପ୍ରତିଶତ ଏବଂ ଆମେରିକାର ୪୧ ପ୍ରତିଶତ ଲୋକଙ୍କ ମନରେ ଏଭଳି ଭାବନା ରହିଛି। ବହୁ ଭାରତୀୟ ପରିସ୍ଥିତିରେ ଶୀଘ୍ର ସୁଧାର ଆସିବ ବୋଲି ଆଶା ରଖିଛନ୍ତି। ଏପ୍ରିଲ୍‌ ୨୩ରୁ ୨୭ ମଧ୍ୟରେ କରାଯାଇଥିବା ଏହି ଅନ୍‌ଲାଇନ୍‌ ସର୍ଭେରେ ୮୪ ପ୍ରତିଶତ ଭାରତୀୟ ସରକାରଙ୍କ ନୀତି ନେଇ ସନ୍ତୁଷ୍ଟ ଥିବା ମତପୋଷଣ କରିଛନ୍ତି। ସେହିପରି ଆମେରିକାର ୪୬, ବ୍ରିଟେନ୍‌ର ୫୬, ହଂକଂର ୫୩ ଏବଂ ଅଷ୍ଟ୍ରେଲିଆର ୭୩ ପ୍ରତିଶତ ଲୋକ ସରକାରଙ୍କ ନୀତିକୁ ପସନ୍ଦ କରୁଥିବା କହିଛନ୍ତି। କରୋନା ସଂକ୍ରମଣ ଯୋଗୁ ଆଇଟି ଶିଳ୍ପ, ନିର୍ମାଣ କ୍ଷେତ୍ର ଏବଂ ମିଡ଼ିଆରେ କାମ କରୁଥିବା କର୍ମଚାରୀ ଅଧିକ ପ୍ରଭାବିତ ହୋଇଥିବା କ୍ରୋସ୍‌ବେ ଟେକ୍ସଟୋର୍‌ର ଅଧ୍ୟକ୍ଷ ଅତୁଲ ଝାମ୍ବ୍‌ ସୂଚନା ଦେଇଛନ୍ତି। ନିର୍ମାଣ କ୍ଷେତ୍ରର ୭୭ ପ୍ରତିଶତ, ଆଇଟି ଶିଳ୍ପର ୬୫ ପ୍ରତିଶତ ଏବଂ ମିଡ଼ିଆରେ କାମ କରୁଥିବା ୬୭ ପ୍ରତିଶତ କର୍ମଚାରୀ ସେମାନଙ୍କ କମ୍ପାନୀର ସ୍ଥିତିରେ ସୁଧାର ଆସିବ ବୋଲି ଆଶା ରଖିଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।

Share