କରୋନା ସଂକ୍ରମିତ ମହିଳାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିବା ୧୯ ଜଣଙ୍କ ରିପୋର୍ଟ ପଜିଟିଭ

ହାଇଦ୍ରାବାଦ,୧୪।୬: ତେଲେଙ୍ଗାନାର ରଙ୍ଗାରେଡ୍ଡୀରେ ଜଣେ କରୋନା ସଂକ୍ରମିତ ମହିଳାଙ୍କ ଅନ୍ତିମ ସଂସ୍କାରରେ ପ୍ରାୟ ୨୫ଜଣ ପରିଜନ ଯୋଗ ଦେଇଥିଲେ। ଏବେ ଏମାନଙ୍କ ମଧ୍ୟରୁ ୧୯ ଜଣ କରୋନାରେ ପୀଡ଼ିତ ଥିବା ଜଣାପଡିଛି। ଜୁନ୍‌ ୧୦ରେ ମହିଳାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଏହାପରେ ଅନ୍ୟମାନଙ୍କଠାରେ କରୋନା ଲକ୍ଷଣ ଦେଖାଦେବାରୁ ସେମାନଙ୍କର ନମୁନା ପରୀକ୍ଷା କରାଯିବାରୁ ୧୯ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି। ସୂଚନାଯୋଗ୍ୟ, ମହିଳା ଜଣକ ଅନ୍ୟ କିଛି ରୋଗ ପାଇଁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଜୁନ ୯ରେ ତାଙ୍କର କରୋନା ଟେଷ୍ଟ ପାଇଁ ନମୁନା ସଂଗ୍ରହ କରାଯାଇଥିବା ବେଳେ ହଠାତ୍‌ ଜୁନ୍‌ ୧୦ରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ରିପୋର୍ଟ ଆସିବା ପୂର୍ବରୁ ତାଙ୍କ ମୃତ ଶରୀରକୁ ପରିଜନଙ୍କୁ ହସ୍ତାନ୍ତର କରାଯାଇଥିଲା। ସେମାନେ ନୀତିନିୟମ ଅନୁଯାୟୀ ମହିଳାଙ୍କର ଅନ୍ତିମ ସଂସ୍କାର କରିଥିଲେ। ଏହାପରେ ମହିଳାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଅନ୍ୟପଟେ ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିବା ୧୯ ଜଣ କିଛି ନ ଜାଣିପାରି କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି।

Share