କରୋନା ସଂକ୍ରମିତଙ୍କ ଯାଞ୍ଚ୍‌ କାର୍ଯ୍ୟରେ ରୋବୋ ନିଯୁକ୍ତ

ବେଜିଂ,୬।୨: ଚାଇନାରେ କରୋନା ଭୁତାଣୁ ସଂକ୍ରମଣଙ୍କ ସଂଖ୍ୟା ବଢ଼ିଚାଲିଛି। ଇତିମଧ୍ୟରେ ୫୬୨ ଲୋକଙ୍କ ମୃତ୍ୟୁ କରୋନା ଭୁତାଣୁ ଯୋଗୁ ହୋଇସାରିଛି। ସେହିପରି ୨୭ ହଜାରରୁ ଅଧିକ ଲୋକଙ୍କଠାରେ ଏହି ଭୁତାଣୁ ଚିହ୍ନଟ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସଂକ୍ରମିତଙ୍କ ଯାଞ୍ଚ୍‌ରେ ରୋବୋକୁ ଲଗାଯାଇଛି। ଚାଇନାର ଉହାନ୍‌, ବୋଙ୍ଗ୍‌ଝୋଉ, ଶାଙ୍ଘାଇ, ଝିଆନ୍‌ ଏବଂ ଗୁଇୟାଙ୍ଗ୍‌ ଆଦି ୫ଟି ସହରରେ ହାଇ-ଟେକ୍‌ ରୋବୋ ଯାଞ୍ଚ୍‌ କାର୍ଯ୍ୟ କରୁଛି। ରାସ୍ତାରେ ଚାଲି ଚାଲି ଯାଉଥିବା ବ୍ୟକ୍ତିଙ୍କୁ ଏହି ରୋବୋ ସ୍ବାସ୍ଥ୍ୟ ସମ୍ପର୍କରେ ସତର୍କ ସୂଚନା ଦେଉଛି। ଖାଇବା ପୂର୍ବରୁ ହାତ ଧୋଇବା ଏବଂ ଫେସ୍‌ ମାସ୍କ୍‌ ବ୍ୟବହାର କରିବା ଲାଗି ରୋବୋ ଲୋକଙ୍କୁ ସଚେତନ କରାଉଛି। ସ୍ବୟଂଚାଳିତ ରୋବୋଗୁଡ଼ିକୁ ବିମାନବନ୍ଦର, ମଲ୍‌ ଏବଂ ରାସ୍ତାରେ ରଖାଯାଇଛି। ଏହି ରୋବୋ ୫ ମିଟର ବ୍ୟାସ ମଧ୍ୟରେ ଯାଉଥିବା ଲୋକଙ୍କ ତାପମାତ୍ରା ରେକର୍ଡ କରିବାକୁ ସକ୍ଷମ ବୋଲି କୁହାଯାଉଛି।

Share