କରୋନା ସଂକ୍ରମଣ ରୋକିବାକୁ ରଜ ଉତ୍ସବ ପାଳନରେ କଟକଣା: ସରପଞ୍ଚଙ୍କ ସହ କଥା ହେଲେ ଜିଲାପାଳ

କେନ୍ଦୁଝର,୧୩ା୬ (ସ୍ବ.ପ୍ର.) ଚଳିତ ବର୍ଷ ରଜ ପର୍ବ ପାଳନ ଅବସରରେ ମହାମାରୀ କରୋନା ଭାଇରସ୍‌ର ସଂକ୍ରମଣକୁ ପ୍ରତିରୋଧ କରିବା ସମ୍ପର୍କରେ ଜିଲାପାଳ ଆଶିଷ ଠାକରେ ଜିଲାର ସରପଞ୍ଚମାନଙ୍କ ସହିତ କଥା ହୋଇଛନ୍ତି। ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ଜିଲାପାଳ ଜିଲାରେ ୩ମାସ ଧରି କୋଭିଡ୍‌-୧୯ ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ସରପଞ୍ଚମାନେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଧନ୍ୟବାଦ ଜଣାଇଥିଲେ। ଏତଦ୍‌ବ୍ୟତୀତ ତୃଣମୂଳସ୍ତରରେ ସଂକ୍ରମଣ ପ୍ରତିରୋଧ ପାଇଁ ଦିନରାତି କାର୍ଯ୍ୟ କରୁଥିବା ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ, କର୍ମୀମାନଙ୍କର ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ। ଦେଶର ବିଭିନ୍ନ ରାଜ୍ୟରୁ ଏବଂ ବିଦେଶରୁ ପ୍ରବାସୀମାନଙ୍କର ଘର ବାହୁଡ଼ା ହେଉଥିବାରୁ କରୋନା ଭାଇରସ୍‌ର ସଂକ୍ରମଣର ଆଶଙ୍କା ରହିଛି। ରଜ ପର୍ବ ଜିଲାର ଗଣପର୍ବ ହୋଇଥିବାରୁ ଜନଗହଳି ହେଲେ କରୋନା ସଂକ୍ରମଣର ଆଶଙ୍କା ରହିଛି। ସାମାନ୍ୟ ଅବହେଳା ସଂକ୍ରମଣ ବଢିବାର କାରଣ ହୋଇପାରେ। ଏଣୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଚଳିତ ବର୍ଷ ରଜ ପର୍ବ ପାଳନରେ କଟକଣା ଜାରି କରାଯାଇଛି ବୋଲି ଜିଲାପାଳ ଅବଗତ କରାଇଥିଲେ। ରଜ ପର୍ବ ପାଳନ ଅବସରରେ ଜନଗହଳି ଏଡ଼ାଇବା ପାଇଁ ରଜ ଉତ୍ସବ, ରଜ ମହୋତ୍ସବ, ପାରମ୍ପରିକ ଦୋଳି ଖେଳ ଏବଂ ଅନ୍ୟାନ୍ୟ ଖେଳକୁଦକୁ ବାରଣ କରାଯାଇଛି। ଏହି ସମୟ ମଧ୍ୟରେ ଧାର୍ମିକ ପୀଠସ୍ଥଳୀମାନଙ୍କରେ ପୂଜାର୍ଚ୍ଚନା ବାରଣ କରାଯାଇଛି। ରଜ ପର୍ବର ପ୍ରସ୍ତୁତି ପାଇଁ ହାଟ, ଦୋକାନ ବଜାରରୁ ଜିନିଷ କିଣାକିଣି ବେଳେ ଗହଳି ନ କରି ସାମାଜିକ ଦୂରତ୍ୱ ବଜାୟ ରଖି ଜିନିଷ କିଣାକିଣି କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ଏତଦ୍‌ବ୍ୟତୀତ ଶ୍ରମଜୀବୀମାନଙ୍କୁ ମନରେଗା କାର୍ଯ୍ୟକ୍ରମରେ କାମ ଯୋଗାଇ ଦେବା, ପ୍ରତି ଗାଁରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରିବା ଉପରେ ସରପଞ୍ଚମାନେ ଗୁରୁତ୍ୱାରୋପ କରିବାକୁ ଜିଲାପାଳ କହିଥିଲେ।