କରୋନା ସଂକ୍ରମଣ: ବ୍ରାଜିଲରେ ମୃତଦେହ ସଂସ୍କାର ପାଇଁ ସ୍ଥାନର ଅଭାବ

ବ୍ରସିଲିଆ,୨୩।୫: କରୋନା ସଂକ୍ରମଣ କ୍ଷେତ୍ରରେ ବ୍ରାଜିଲ ଏବେ ହଟ୍‌ସ୍ପଟ ପାଲଟି ଯାଇଛି। କରୋନା ସଂକ୍ରମଣ ଓ ମୃତକଙ୍କ ସଂଖ୍ୟାରେ ଏବେ ରୁଷକୁ ପଛରେ ପକାଇଛି ବ୍ରାଜିଲ। ଶୁକ୍ରବାର ଏଠାରେ ୨୦ହଜାର ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏହା ଏକ ରେକର୍ଡ କରିଛି ବୋଲି କୁହାଯାଉଛି। ବ୍ରାଜିଲରେ ଏବେ ପର୍ଯ୍ୟନ୍ତ ମୋଟ ୩,୩୦,୮୦୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହାସହ ୨୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ମଧ୍ୟ ହେଲାଣି। ଏତେ ସଂଖ୍ୟାରେ ମୃତ୍ୟୁ ହେବା ସରକାରଙ୍କୁ ଏକ ପ୍ରକାର ଚିନ୍ତାରେ ପକାଇ ଦେଇଛି। ମୃତଦେହ ଗୁଡିକ ରାସ୍ତାରେ ପଡି ରହୁଥିବା ବେଳେ ହସ୍ପିଟାଲ ଓ କବରସ୍ଥାନରେ ମଧ୍ୟ ମୃତକଙ୍କ ଭିଡ ଦେଖିବାକୁ ମିଳିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କହିଛି ଦକ୍ଷିଣ ଆମେରିକା ଏବେ କରୋନା ମହାମାରୀର ନୂଆ ଠିକଣା ପାଲଟିଛି। ଏହା ଭିତରେ ବ୍ରାଜିଲର ସ୍ଥିତି ସବୁଠାରୁ ଉଦ୍‌ବେଗଜନକ ବୋଲି କୁହାଯାଇଛି। ଗୋଟିଏ ପଟେ ବ୍ରାଜିଲରେ ଥିବା ହସ୍ପିଟାଲର ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା ପାଇଁ ଲାଗିଥିବା ବେଳେ ଯଦି ଆଗକୁ ସଂକ୍ରମିତଙ୍କ ସଂଖ୍ୟା ଏହି ଅନୁପାତରେ ବୃଦ୍ଧି ହୁଏ ତେବେ ଚିକିତ୍ସା କରିବାକୁ ହସ୍ପିଟାଲର ଅଭାବ ପଡିବ ବୋଲି ଡାକ୍ତରମାନେ କହିଛନ୍ତି। ଅନ୍ୟପଟେ ଦେଶର ସବୁଠାରୁ ବଡ କବରସ୍ଥାନ ଓ୍ବିଲା ଫୋର୍ମେସାରେ ମଧ୍ୟ ମୃତଦେହ ସଂସ୍କାର କରିବାକୁ ସ୍ଥାନର ଅଭାବ ପରିଲକ୍ଷିତ ହୋଇଥିବା ଜଣାପଡିଛି। ଏହା କେବଳ ବ୍ରାଜିଲ ନୁହେଁ ବରଂ ଲାଟିନ୍‌ ଆମେରିକାର ସବୁଠାରୁ ବଡ କବରସ୍ଥାନ ବୋଲି କୁହାଯାଏ। ସାଓ ପାଓଲରେ ଥିବା ଏହି କବରସ୍ଥାନରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ମୃତଦେହ କବର ଦିଆଯାଉଥିବାରୁ ଏବେ ସେଠାରେ ସ୍ଥାନାଭାବ ଦେଖାଦେଇଛି।

Share