କରୋନା ସଂକ୍ରମଣ: ପୃଥିବୀର ୧୫ ଶୀର୍ଷ ଦେଶ ତାଲିକାରେ ଭାରତର ସ୍ଥାନ ୧୨

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ଦେଖାଦେଇଛି। ଦିନକୁ ଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣ ହୋଇଥିବା ୧୫ ଶୀର୍ଷ ଦେଶ ତାଲିକାରେ ଭାରତର ସ୍ଥାନ ୧୨ରେ ରହିଛି। ଇତିମଧ୍ୟରେ ପୃଥିବୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୪ ଲକ୍ଷ ୩୦ ହଜାର ୧୬୭ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୨ ଲକ୍ଷ ୯୮ ହଜାର ୧୮୩ ଛୁଇଁଛି। ୧୬ ଲକ୍ଷ ୬୧ ହଜାର ୫୦୫ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କରୋନା ସଂକ୍ରମଣ ତାଲିକାର ପ୍ରଥମ ସ୍ଥାନରେ ଆମେରିକା ରହିଛି। ଏଠାରେ ସର୍ବାଧିକ ୧୪ ଲକ୍ଷ ୩୦ ହଜାର ୩୪୮ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସେହିପରି ଆମେରିକାରେ କରୋନା ସଂକ୍ରମଣ ଯୋଗୁ ମୃତକଙ୍କ ସଂଖ୍ୟା ୮୫ ହଜାର ୧୯୭ ରହିଛି। ସ୍ପେନ୍‌ କରୋନା ସଂକ୍ରମଣରେ ପୃଥିବୀରେ ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ୨ଲକ୍ଷ ୭୧ ହଜାର ୯୫ ଜଣ ସଂକ୍ରମିତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୨୭ ହଜାର ୧୦୪ ରହିଛି। ରୁଷ୍‌ କରୋନା ସଂକ୍ରମଣରେ ତୃତୀୟ ସ୍ଥାନରେ ରହିଛି। ରୁଷ୍‌ରେ ମୃତକଙ୍କ ସଂଖ୍ୟା ୨ ହଜାର ୨୧୨ ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୪୨ ହଜାର ୨୭୧ ରହିଛି। କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବ୍ରିଟେନ୍‌ ଚତୁର୍ଥ ସ୍ଥାନରେ ରହିଛି। ଏଠାରେ ମୃତକଙ୍କ ସଂଖ୍ୟା ୩୩ ହଜାର ୧୮୬ ରହିଛି। ସେହିପରି ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୨୯ ହଜାର ୭୦୫ ରହିଛି। ଇଟାଲି ଏହି ତାଲିକାର ପଞ୍ଚମ ସ୍ଥାନରେ ରହିଛି। ଏଠାରେ କରୋନା ମୃତକଙ୍କ ସଂଖ୍ୟା ୩୧ ହଜାର ୧୦୬ ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୨୨ ହଜାର ୧୦୪ ରହିଛି। ତାଲିକାର ଷଷ୍ଠ ସ୍ଥାନରେ ବ୍ରାଜିଲ୍‌, ସପ୍ତମରେ ଫ୍ରାନ୍ସ୍‌, ଅଷ୍ଟମରେ ଜର୍ମାନୀ, ନବମରେ ତୁର୍କୀ, ଦଶମ ସ୍ଥାନରେ ଇରାନ, ଏକାଦଶ ସ୍ଥାନରେ ଚାଇନା ଏବଂ ଦ୍ୱାଦଶ ସ୍ଥାନରେ ଭାରତ ରହିଛି। ଭାରତରେ ୭୮ ହଜାର ୧୨୧ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ମୃତ୍ୟୁ ସଂଖ୍ୟା ୨ ହଜାର ୫୪୯ ଛୁଇଁଛି। ଗୁରୁବାର ସୁଦ୍ଧା ୨୬ ହଜାର ୨୩୪ ସଂକ୍ରମିତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୭୨୫ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ ଏହି ସମୟ ମଧ୍ୟରେ ସର୍ବାଧିକ ୧୯୪୬ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହା ପୂର୍ବରୁ ଗତ ମଙ୍ଗଳବାର ୨୪ ଘଣ୍ଟା ମଧ୍ୟରେ ୧୯୦୫ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିଲେ। ସମ୍ପ୍ରତି ୪୯ ହଜାର ୨୧୯ ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

Share