କରୋନା ସଂକ୍ରମଣକୁ ନେଇ ତଥ୍ୟ ଲୁଚାଉଛି ପାକିସ୍ତାନ !

ଇସ୍‌ଲାମାବାଦ,୧୮।୪: କରୋନା ଭାଇରସ ଏବେ ସାରା ବିଶ୍ୱର ମେରୁଦଣ୍ଡକୁ ଏକ ପ୍ରକାର ଦୋହଲାଇ ଦେଇଥିବା ବେଳେ ପାକିସ୍ତାନ ବି ଏଥିରୁ ବାଦ୍‌ ପଡିନାହିଁ। ପାକିସ୍ତାନରେ କରୋନା ମୁକାବିଲା କରିବାକୁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଖରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ), ମାସ୍କ ଓ ଅନ୍ୟାନ୍ୟ ଉପକରଣ କମ୍‌ ଥିବା ବେଳେ ସେଠାରେ କିନ୍ତୁ କରୋନା ସଂକ୍ରମିତଙ୍କ ସଂଖ୍ୟା ଭାରତଠାରୁ କମ୍‌ ଥିବା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି। ପାକିସ୍ତାନରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୭,୪୦୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୧୪୩ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ହେଲେ ପାକିସ୍ତାନର ଜନସଂଖ୍ୟାକୁ ଆଲୋଚନାକୁ ନେଲେ ଏହାକୁ ନେଇ ସନ୍ଦେହ ଜାତ ହେଉଛି। ଏହାପରେ କରାଚି ସହରରେ ଥିବା କବର ସ୍ଥାନରେ ଗତ ୪୯ ଦିନ ମଧ୍ୟରେ ପ୍ରାୟ ୩,୨୬୫ ମୃତଦେହକୁ କବର ଦିଆଯାଇଥିବା ଜଣାପଡିବା ପରେ ଏହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦ ଟ୍ରିବ୍ୟୁନର ରିପୋର୍ଟ ଅନୁଯାୟୀ, କରାଚି ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟ ଅନୁଯାୟୀ ସେଠାରେ ଥିବା କବର ସ୍ଥାନରେ ୪୯ ଦିନ ମଧ୍ୟରେ ପ୍ରାୟ ୩,୨୬୫ ମୃତଦେହକୁ କବର ଦିଆଯାଇଛି। ଏହା ପୂର୍ବରୁ ମଧ୍ୟ ପାକିସ୍ତାନ ଗଣମାଧ୍ୟମରୁ ଜଣାପଡିଥିଲା କି କରାଚି ହସ୍ପିଟାଲରେ ବହୁ ସଂଖ୍ୟାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହେଉଛି। ହେଲେ ସାଧାରଣ ଲୋକଙ୍କଠାରୁ ପ୍ରଶାସନ ଏହାକୁ ଲୁଚାଇ ରଖିବାକୁ ଚେଷ୍ଟା କରୁଛି। ଏହାକୁ ନେଇ ଅଧିକାରୀଙ୍କ ସହ କଥା ହୋଇଥିଲେ ମଧ୍ୟ ସେ ଏସମ୍ପର୍କରେ କୌଣସି କଥା କହିବାକୁ ରାଜି ନ ଥିବା ଜଣାପଡିଛି। ଏଥିରୁ ଅନୁମାନ ଲଗାଯାଇଛି କି ପାକିସ୍ତାନ ସରକାର କରୋନା ସଂକ୍ରମିତ ଓ ମୃତକଙ୍କ ସମ୍ପର୍କରେ ଅନେକ ତଥ୍ୟ ଲୁଚାଇଛନ୍ତି। ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପାକିସ୍ତାନ ଏକ ଗରିବ ଦେଶ ଦର୍ଶାଇ ଲକ୍‌ଡାଉନ ଘୋଷଣା କରି ନ ଥିବା ବେଳେ ଏବେ ସେଠାରେ ଏତେ କମ୍‌ ପରିମାଣରେ କରୋନା ସଂକ୍ରମିତ ତଥ୍ୟ ଅନେକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି ବୋଲି ଆଲୋଚନା ହେଉଛି। କୁହାଯାଉଛି ପାକିସ୍ତାନ କରୋନା ସଂକ୍ରମିତଙ୍କ ସମ୍ପର୍କରେ ଅନେକ ତଥ୍ୟ ଲଚାଉଛି।

Share