କରୋନା ଲକ୍‌ ଡାଉନ୍‌ ଉଜାଗର କଲା ଗରିବୀ ଚିତ୍ର: ପ୍ଳାଷ୍ଟିକ୍‌ ଗୋଟାଇ ପାରୁନାହାନ୍ତି ରାମ, ଖାଇବାକୁ ପାଉନାହାନ୍ତି

ବଲାଙ୍ଗୀର ଅଫିସ, ୩୧ା୩: ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରାଯାଇ ଦେଶର ଭୋକିଲା ଲୋକଙ୍କ କ୍ଷୁଧା ନିବାରଣ କରାଯାଉଥିବା କୁହାଯାଉଥିଲେ ମଧ୍ୟ ମାତ୍ର ୭ ଦିନର ଲକ୍‌ଡାଉନ୍‌ ପରେ ବହୁ ଗରିବ ଓ ଅସହାୟଙ୍କ ଅସଲ ଚିତ୍ର ଏବେ ପଦାକୁ ଆସିବାରେ ଲାଗିଛି । ଲକ୍‌ଡାଉନ୍‌କୁ ଆଖି ଆଗରେ ରଖି ରାଜ୍ୟ ସରକାର ଗରିବ ଲୋକଙ୍କ ଦୁଃଖ ଓ ଅସୁବିଧା ଦୂର କରିବାକୁ ଯାଇ ୪ ମାସର ଭତ୍ତା ଟଙ୍କା ଓ ୩ ମାସର ପିଡିଏସ୍‌ ଆଗୁଆ ଦେଉଥିଲେ । ତେବେ ଏହି ଆଗୁଆ ଭତ୍ତା ଓ ପିଡିଏସ୍‌ ମଧ୍ୟ ଅନେକାଂଶରେ ଗରିବ ଲୋକଙ୍କ କ୍ଷୁଧା ନିବାରଣ କରିବାରେ ଯଥେଷ୍ଟ ହେଉ ନ ଥିବା ଖବର ମିଳୁଛି । ବହୁ ଗରିବ ପରିବାର ମାସିକ ୫ଶହ ଟଙ୍କାର ଭତ୍ତା ଓ ମାସିକ ୫ କେଜି ପିଡିଏସ୍‌ ଚାଉଳରେ ଚଳିବା କଷ୍ଟକର ହୋଇପଡେ । ଏଣୁ ବିଭିନ୍ନ ସମୟରେ ଧାର ଉଧାର କରି ଚଳିଥାନ୍ତି । ଏବେ ୪ ମାସର ଭତ୍ତା ଟଙ୍କା ଆଗୁଆ ପାଇବା ପରେ ଏହି ଗରିବ ଲୋକମାନେ ପ୍ରଥମେ ପୂର୍ବର ଋଣ ସୁଝି ଦେଇଥିବାରୁ ସେମାନଙ୍କ ଖାଇବା ନେଇ ବହୁ ସମସ୍ୟା ସୃଷ୍ଟି ହୋଇଛି ।

ବଲାଙ୍ଗୀର ସହର ତୁଳସୀନଗରର ରାମ ଛୁରା (୬୫) । ଛାଟିମାଟିର ଘର କରି ସେ ଏଠାରେ ରହୁଛନ୍ତି  ମଇଳା ସ୍ଥାନରୁ ପ୍ଳାଷ୍ଟିକ୍‌, ବୋତଲ ସଂଗ୍ରହ କରି ସେ ପେଟ ପୋଷନ୍ତି । ଝିଅ ବିବାହ କରିବା ପରେ ଏଠାରେ ତାଙ୍କର କେହି ନାହାନ୍ତି । ଗତ ଅଗଷ୍ଟ ମାସ ପ୍ରଳୟଙ୍କରୀ ବନ୍ୟାରେ ତାଙ୍କ ଘର ଭାଙ୍ଗିଯିବା ସହ ସମସ୍ତ ଆସବାବପତ୍ର ନଷ୍ଟ ହୋଇଗଲା । ସେହି ଦିନରୁ ସେ ଘରେ ରାନ୍ଧି ନ ପାରି କୌଣସି ଏକ ସାଧାରଣ ହୋଟେଲରୁ ଖାଦ୍ୟ କିଣି ଦିନ କାଟୁଥିଲେ । ବିଭିନ୍ନ ସମୟରେ ଏଥିପାଇଁ କେତେକ ଲୋକଙ୍କଠାରୁ ସେ ଧାରଉଧାର କରିଥିଲେ । ଏବେ ୪ମାସର ଭତ୍ତା ଟଙ୍କା ୨ ହଜାର ଟଙ୍କା ପାଇବା ପରେ ସବୁତକ ଟଙ୍କା ଋଣ ଶୁଝିଦେଲେ । ଫଳରେ ତାଙ୍କ ହାତ ଖାଲି ହୋଇଗଲା । ୩ ମାସର ଆଗୁଆ ପିଡିଏସ୍‌ ଚାଉଳ ପାଇନାହାନ୍ତି । ଲକ୍‌ ଡାଉନ୍‌ ଯୋଗୁଁ ଘରୁ ବାହାରି ପ୍ଳାଷ୍ଟିକ୍‌ ଗୋଟାଇ ପାରୁନାହାନ୍ତି । ହୋଟେଲଗୁଡିକ ବନ୍ଦ ହୋଇଥିବାରୁ ସେ ଖାଇବାକୁ ପାଉନାହାନ୍ତି । ବିଭିନ୍ନ ଦୋକାନରୁ ପାଉଁରୁଟି ଓ ବିସ୍କୁଟ ଆଣି କିମ୍ବା କେତେବେଳେ କେହି ଦରଦୀ ଲୋକ ଖାଇବାକୁ ଦେଲେ ଯାଇ ସେ ଖାଉଛନ୍ତି। ରାମ ଛୁରାଙ୍କ ଭଳି ଗରିବ ଲୋକଙ୍କୁ ଶୀଘ୍ର ଖାଦ୍ୟ ଯୋଗାଣ ନ ଦେଲେ ପରିସ୍ଥିତି ଅଡୁଆ ହୋଇପଡିବ ବୋଲି ଚର୍ଚ୍ଚା ହେଉଛି ।