କରୋନା ଯୋଦ୍ଧାଙ୍କ ପାଇଁ ପୁଣି ସହଯୋଗର ହାତ ବଢାଇଲେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ବଦାନ୍ୟତା ପୁଣି ଦେଖିବାକୁ ମିଳିଛି। କରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧା ସାଜିଥିବା ମୁମ୍ବାଇ ପୋଲିସ ପାଇଁ ଏଥର ସହଯୋଗର ହାତ ବଢାଇଛନ୍ତି ଅକ୍ଷୟ। ଏଥର ସେ ମୁମ୍ବାଇ ପୋଲିସକୁ ୧ହଜାର ରିଷ୍ଟ ବ୍ୟାଣ୍ଡ ଦାନ କରିଛନ୍ତି। ଏହି ବ୍ୟାଣ୍ଡ ମାଧ୍ୟମରେ କୋଭିଡ-୧୯ର ଲକ୍ଷଣ ସମ୍ପର୍କରେ ସୂଚନା ମିଳିପାରିବ। ତେବେ ମୁମ୍ବାଇ ପୋଲିସ ପ୍ରଥମ ଅର୍ଗାନାଇଜେଶନ ଭାବେ ଏହା ବ୍ୟବହାର କରିବାକୁ ଯାଉଛି। ଏହି ବ୍ୟାଣ୍ଡ ବାନ୍ଧିବା ପରେ ଏଥିରେ ବଡି ଟେମ୍ପରେଚର, ହାର୍ଟ ବିଟ୍‌, ବ୍ଲଡ ପ୍ରେସର, ଷ୍ଟେପ କାଉଣ୍ଟ ଓ କ୍ୟାଲୋରୀ ସମ୍ପର୍କରେ ସୂଚନା ମିଳିପାରିବ। ତେବେ ଅକ୍ଷୟ ଏହି ରିଷ୍ଟ ବ୍ୟାଣ୍ଡ ପ୍ରସ୍ତୁତକାରୀ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ରହିଛନ୍ତି। ଏହାକୁ ଘଣ୍ଟା ଭଳି ଜଣେ ହାତରେ ବାନ୍ଧି ପାରିବେ। ଏଥିରେ ଥିବା ସେନ୍‌ସର ବଡି ଟେମ୍ପରେଚର, ହାର୍ଟ ବିଟ୍‌, ବ୍ଲଡ ପ୍ରେସର ଆଦି ବିଷୟରେ ସୂଚନା ପ୍ରଦାନ କରିବ। ସୂଚନାଯୋଗ୍ୟ, ଏହାପୂର୍ବରୁ ଅକ୍ଷୟ ମୁମ୍ବାଇ ପୋଲିସକୁ କରୋନା ସହ ଲଢିବାକୁ ୨ କୋଟି ଟଙ୍କା ଦାନ କରିଥିଲେ। ଏଥିପାଇଁ ମୁମ୍ବାଇ ପୋଲିସ କମିଶନର ଅକ୍ଷୟଙ୍କୁ ଧନ୍ୟବାଦ ଦେଇଥିଲେ। ଏହାସହ ବିଏମ୍‌ସିକୁ ପିପିଇ, ମାସ୍କ ଓ ର଼୍ୟାପିଡ ଟେଷ୍ଟ କିଟ୍‌ କ୍ରୟ କରିବାକୁ ୩ କୋଟି ଟଙ୍କାର ସାହାଯ୍ୟ ଦେଇଥିବା କୁହାଯାଏ।

Share