କରୋନା ଯୁଦ୍ଧରେ ଉଦାହରଣ ସାଜିଲେ ଜେରୁସ: କର୍ତ୍ତବ୍ୟ ସହ ତୁଲାଉଛନ୍ତି ପରିବାରର ଦାୟିତ୍ୱ, ପ୍ରଶଂସା କଲେ ପୁରୀ ଏସ୍‌ପି

ସାକ୍ଷୀଗୋପାଳ,୨୬।୪(ଡି.ଏନ.ଏ.): କରୋନା ମୁକାବିଲାକୁ ନେଇ ସମ୍ପ୍ରତି ଲକ୍‌ଡାଉନ୍‌ କଟକଣା ଜାରି ରହିଛି। ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ନେଇ ପ୍ରମୁଖ ଭୂମିକା ଗ୍ରହଣ କରିଛି ପୋଲିସ। ରାତିଦିନ ଏକ କରି କାମ କରୁଥିବା ବେଳେ ଅନେକ ବ୍ୟକ୍ତିଗତ ସ୍ବାର୍ଥକୁ ତ୍ୟାଗ କରି ସାମାଜିକ ସ୍ବାର୍ଥକୁ ଗୁରୁତ୍ୱ ଦେଉଥିବା ନଜରକୁ ଆସୁଛି। ଏଥିଯୋଗୁ ଅନେକ ଡାକ୍ତରଙ୍କ ଭଳି ପୋଲିସମାନଙ୍କୁ ‘କରୋନା ଯୋଦ୍ଧା’ ଆଖ୍ୟା ଦେଉଛନ୍ତି। ଏଭଳି ଏକ ନିଆରା ଉଦାହରଣ ହେଉଛନ୍ତି ସତ୍ୟବାଦୀ ଥାନାରେ କାର୍ଯ୍ୟରତ ମହିଳା କନଷ୍ଟେବଳ ଜେରୁସ ମିଞ୍ଜ।

ପୁରୀ ଜିଲା ସତ୍ୟବାଦୀ ଥାନାରେ କାମ କରୁଛନ୍ତି ଜେରୁସ। ତାଙ୍କ ସ୍ବାମୀ ଆଇଆରବିରେ ହାବିଲଦାର ଭାବରେ ଦେଓଘରରେ କାମ କରୁଛନ୍ତି। ରାଉରକେଲା ନିକଟବର୍ତ୍ତୀ ଝରିପାଣିରେ ବୃଦ୍ଧା ଶାଶୁଙ୍କ ପାଖରେ ରହି ପାଠ ପଢ଼ୁଥିବା ଏକମାତ୍ର ଝିଅ ଆଞ୍ଜେଲ ସିନୀ ତିର୍କୀଙ୍କ ଦ୍ୱିତୀୟ ଶ୍ରେଣୀ ପରୀକ୍ଷା ସରିବା ପରେ ସେ ଏବେ ସତ୍ୟବାଦୀରେ ମା’ ସହ ଅଛନ୍ତି । ହେଲେ ଏବେ ୮ ବର୍ଷର ଝିଅକୁ କ୍ୱାର୍ଟରରେ ଏକାକୀ ଛାଡ଼ି ଆସିବା ସମ୍ଭବ ହେଉ ନ ଥିବା ବେଳେ ସେ ମା’ଙ୍କ ସହ ଥାନାକୁ ଆସୁଛନ୍ତି। ଜେରୁସଙ୍କୁ ଥାନାରେ ଡ୍ୟୁଟି କରିବା ସହ ଝିଅର ତୃତୀୟ ଶ୍ରେଣୀ ପାଠ ପ୍ରତି ଧ୍ୟାନ ଦେବାକୁ ପଡୁଛି। କର୍ମଜୀବୀ ଦୁନିଆରେ ତାଙ୍କର ଛୋଟିଆ ପରିବାରଟି ପରସ୍ପରଠାରୁ ଦୁରେଇ ରହୁଥିବା ବେଳେ ଝିଅ ସହ ସମୟ ବିତାଇବାକୁ ଲକ୍‌ଡାଉନ୍‌ ସୁଯୋଗ ଆଣି ଦେଇଛି ବୋଲି କହିଛନ୍ତି ଜେରୁସ। ଥାନାରେ ମହିଳା କନେଷ୍ଟବଳଙ୍କ କର୍ତ୍ତବ୍ୟ ପରାୟଣତାକୁ ପ୍ରଶଂସା କରି ପୁରୀ ଏସ୍‌ପି ଟୁଇଟ୍‌ କରିଥିବା ସୂଚନା ମିଳିଛି।