କରୋନା ମୁକାବିଲା: ୧୫ ଦିନ ଧରି ସଚେତନତା ସହ ତଥ୍ୟ ନିଆଯିବ

ଭୁବନେଶ୍ୱର, ୨୭।୫(ବ୍ୟୁରୋ): ରାଜ୍ୟରେ କରୋନା ଭାଇରସ୍‌ କୋଭିଡ୍‌-୧୯ ସମ୍ପର୍କରେ ୧୫ଦିନ ଧରି ବ୍ୟାପକ ସଚେତନତା କରାଯିବ। ଏଥିସହ ବୟସ୍କ ଓ ସଂକ୍ରମିତ ଆଶଙ୍କା ଥିବା ଲୋକଙ୍କ ତଥ୍ୟ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ କହିଛନ୍ତି। ଏଣିକି ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ ପୂରା ଜିଲାକୁ ରେଡ୍‌ ଜୋନ୍‌ ଘୋଷଣା କରାଯିବ ନାହିଁ। ଯେହେତୁ ଏଥିଯୋଗୁ ଅର୍ଥନୀତି ପ୍ରଭାବିତ ହେଉଛି, ତେଣୁ ଲକ୍‌ଡାଉନ୍‌-୪ରେ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍‌ ଅନୁସାରେ ପଞ୍ଚାୟତ ସ୍ତରରେ ଗ୍ରୀନ୍‌, ରେଡ୍‌ ଓ ଅରେଞ୍ଜ ଜୋନ୍‌ ଚିହ୍ନଟ ହେବ। ଏନେଇ ସମ୍ପୃକ୍ତ ଜିଲାର ଜିଲାପାଳ, ପୌରାଞ୍ଚଳର କମିଶନର ଏବଂ ସରପଞ୍ଚମାନେ ଏହାର ତଦାରଖ କରିବେ। କେବଳ ସଂକ୍ରମିତ ଅଞ୍ଚଳ ବା କଣ୍ଟେନମେଣ୍ଟ ଜୋନକୁ ହିଁ ରେଡ୍‌ ଜୋନ୍‌ ଭାବେ ଘୋଷଣା କରିପାରିବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ସେ କହିଛନ୍ତି, ଭାରତ ତୁଳନାରେ ଓଡ଼ିଶାରେ ସଂକ୍ରମଣ ହାର କମ୍‌ ରହିଛି। ଓଡ଼ିଶାର କରୋନା ମୃତ୍ୟୁହାର ମଧ୍ୟ ସବୁଠୁ କମ୍‌ ଅଛି। ଓଡ଼ିଶା ସରକାରଙ୍କ ପୂର୍ବପ୍ରସ୍ତୁତି ଯୋଗୁ କରୋନା ସଂକ୍ରମଣ ବିଶେଷ କ୍ଷତି କରିପାରି ନାହିଁ। ପଞ୍ଚାୟତସ୍ତରରେ ସଙ୍ଗରୋଧ କେନ୍ଦ୍ର ପ୍ରସ୍ତୁତ ରଖିବା ଏକ ସଫଳ ନିଷ୍ପତି। ରାଜ୍ୟରେ ବିଭିନ୍ନ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ମୋଟ ୮ଲକ୍ଷ ଶଯ୍ୟା ସରକାର ପ୍ରସ୍ତୁତ ରଖିଥିବାବେଳେ ମାତ୍ର ୩ଲକ୍ଷ ଶଯ୍ୟା ବର୍ତ୍ତମାନ ପୂରଣ ହୋଇଛି। ସଙ୍ଗରୋଧ ଅବଧି ସରିବା ପରେ ପ୍ରାୟ ୧ଲକ୍ଷ ଲୋକ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଘରକୁ ଫେରିଲେଣି। ସେହିପରି ଅନ୍ୟ ରାଜ୍ୟରୁ ୧ ଲକ୍ଷ ୫୩ ହଜାର ଲୋକ ରାଜ୍ୟକୁ ଫେରିଛନ୍ତି। ସେଥିମଧ୍ୟରୁ ସର୍ବାଧିକ ୭୩ ହଜାର ଗଞ୍ଜାମ ଜିଲାକୁ ଆସିଛନ୍ତି। ନୂଆ ଗାଇଡଲାଇନ୍‌ ଅନୁସାରେ ରାଜ୍ୟର ଅନୁମତି ବିନା ଟ୍ରେନ୍‌ ଆସୁଛି। ଏହାକୁ ନେଇ ସମସ୍ୟା ଉପୁଜୁଛି ଏବଂ ଅଧିକ ପରିଶ୍ରମ କରିବାକୁ ପଡୁଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଜୁନ୍‌ ପହିଲାରୁ ରାଜ୍ୟରେ ଆଉ ୧୨ଟି ଟ୍ରେନ ଚଳାଚଳ କରିବ ବୋଲି ସେ ସୂଚନା ଦେଇଛନ୍ତି।