କରୋନା ମୁକାବିଲା ସ୍ଥିତି ପରଖିଲେ ଜିଲାପାଳ

ବରଗଡ଼ ଅଫିସ୍‌,୧୯।୪: ଘାତକ କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣ ସଭିଁଙ୍କ ଚିିନ୍ତା ବଢ଼ାଇ ଦେଇଛି । ଏଥିପାଇଁ ଦେଶବ୍ୟାପୀ ଲକ୍‌ ଡାଉନ କଟକଣା ଲାଗୁହୋଇ ଥିବାବେଳେ ସଚେତନତା, ସତର୍କତା ଏବଂ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଛି । ତେବେ ଏଭଳି ସ୍ଥଳେ ଅସହାୟ, ଗରିବ, ପ୍ରବାସୀ ଶ୍ରମିକ ଆଦିଙ୍କ ସମସ୍ୟା ବହୁଗୁଣିତ ହୋଇ ପଡ଼ିଛି । ଫଳରେ ସେମାନଙ୍କୁ ସହାୟତା ପ୍ରଦାନ ପାଇଁ ସରକାରୀସ୍ତରରେ ବହୁବିଧ ପଦକ୍ଷେପ ନିଆଯାଇଛି । ତେବେ ଜିଲାରେ ତାର କାର୍ଯ୍ୟକାରୀତା କିଭଳି ଚାଲିଛି ତାହାକୁ ପରଖିବା ପାଇଁ ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଜିଲାର ବିଭିନ୍ନ ଅଞ୍ଚଳ ଗସ୍ତ କରୁଛନ୍ତି । ରବିବାର ଜିଲାପାଳ ପ୍ରଧାନ ବରପାଲି ବ୍ଲକ ଗସ୍ତରେ ଯାଇଥିଲେ । ସେଠାକାର ରାଶନ ବିତରଣ କେନ୍ଦ୍ର, ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ କେନ୍ଦ୍ର, ପ୍ରବାସୀ ଶ୍ରମିକଙ୍କ ରନ୍ଧାଖାଦ୍ୟ ବିତରଣ ଆଦି ପରଖିଥିଲେ । ଜିଲାପାଳଙ୍କ ପରିଦର୍ଶନ କାଳରେ ସ୍ଥାନୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।