କରୋନା ମୁକାବିଲା ପାଇଁ ଏସ୍‌ସିବି ପ୍ରସ୍ତୁତ

କଟକ ଅଫିସ, ୧୪।୩: ଚାଇନାରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍‌ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ନେଇ କଟକ ଏସ୍‌ସିବି ମେଡିକାଲ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏ ନେଇ ଶନିବାର ଜରୁରିକାଳୀନ ଅଧିକାରୀ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୮ଜଣ ସନ୍ଦିଗ୍ଧଙ୍କ ଚିକିତ୍ସା କରାଯାଇଛି। ସେଥିମଧ୍ୟରୁ ୭ ଜଣ ଡିସ୍‌ଚାର୍ଜ ହୋଇଥିବା ବେଳେ ଜଣେ ଚିକିତ୍ସାଧୀନ ଅଛନ୍ତି। ପରବର୍ତ୍ତୀ ସମୟରେ ତାଙ୍କୁ ମଧ୍ୟ ଛାଡିଦିଆଯିବ। ଆବଶ୍ୟକ ଔଷଧ, ମାସ୍କ, ଷ୍ଟାଫ୍‌ ଓ ଚିକିତ୍ସା ବ୍ୟବସ୍ଥା ଠିକ୍‌ ଅଛି। ଅଧିକ ୪ଟି ଆଇସିୟୁ ସହ ନୂଆ ବିଲ୍ଡିଂରେ ୬୦ ବେଡ୍‌ ବ୍ୟବସ୍ଥା ହେଉଛି। ଏଯାଏ ରାଜ୍ୟରେ ଗୋଟିଏ ବି କରୋନା ପଜିଟିଭ୍‌ ସୂଚନା ଆସି ନ ଥିବା ଜରୁରିକାଳୀନ ଅଧିକାରୀ ସୂଚନା ଦେଇଛନ୍ତି।