କରୋନା ମୁକାବିଲା: ଗବେଷଣା ଟିମ୍‌ରେ ଓଡ଼ିଆ ଡାକ୍ତର ଦିଗମ୍ବର ବେହେରା

ଭୁବନେଶ୍ୱର,୧୦।୪(ବ୍ୟୁରୋ): ବିଶ୍ୱ ମହାମାରୀ କରୋନା ମୁକାବିଲାରେ ସାରା ମାନବ ସମାଜ ଅହରହ ଉଦ୍ୟମ ଜାରି ରଖିଛି। ଭାରତ ସମେତ ବିଶ୍ୱର ଅନ୍ୟାନ୍ୟ ଦେଶ ନିଜ ନିଜର ସାମର୍ଥ୍ୟ ଅନୁସାରେ ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହି କ୍ରମରେ ଇଣ୍ଡିଆନ୍‌ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର) ପକ୍ଷରୁ ଏକ ଜାତୀୟସ୍ତରୀୟ ଟାସ୍କପୋର୍ସ ଗଠନ କରାଯାଇଛି। ଏହି ଟାସ୍କଫୋର୍ସ ଏକ କ୍ଲିନିକାଲ ରିସର୍ଚ୍ଚ ଗ୍ରୁପକୁ ମନୋନୀତ କରିଛି। ନୂଆଦିଲ୍ଲୀସ୍ଥିତ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗଲେରିଆ ଏହି ଗବେଷଣା ଦଳର ଅଧ୍ୟକ୍ଷତା କରିବେ। ଏହି ୬ ଜଣିଆ ଟିମ୍‌ରେ ଓଡ଼ିଆ ଡାକ୍ତର ଦିଗମ୍ବର ବେହେରାଙ୍କୁ ମଧ୍ୟ ସ୍ଥାନ ମିଳିଛି। ଦିଗମ୍ବର ବର୍ତ୍ତମାନ ପିଜିଆଇଏମ୍‌ଇଆରର ପ୍ରଫେସର ଭାବେ କାର୍ଯ୍ୟରତ। ଫୁସ୍‌ଫୁସ୍‌ ସମ୍ବନ୍ଧୀୟ ଚିକିତ୍ସା, ଗବେଷଣା ଏବଂ ଭେଷଜରେ ଦିଗମ୍ବରଙ୍କ ଗଭୀର ଅଭିଜ୍ଞତା ରହିଛି। ଫୁସ୍‌ଫୁସ୍‌ କର୍କଟ ରୋଗର ଉତ୍ତମ ଚିକିତ୍ସାରେ ତାଙ୍କର ବିଶେଷ ସୁନାମ ରହିଥିବା ଜଣାପଡ଼ିଛି। ସେ ‘ଇଣ୍ଡିଆନ୍‌ ଷ୍ଟଡି ଫର୍‌ ଦ ଷ୍ଟଡି ଅଫ୍‌ ଲଙ୍ଗ୍‌ କ୍ୟାନ୍‌ସର’ ସଂସ୍ଥାର ପ୍ରତିଷ୍ଠାତା। କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜର ଦିଗମ୍ବର ଜଣେ ପ୍ରାକ୍ତନ୍‌ ଛାତ୍ର। ଚିକିତ୍ସା କ୍ଷେତ୍ରରେ ପ୍ରବେଶ ଦିନଠାରୁ ଏଯାବତ୍‌ ସେ ୪୬୨ଟି ରିସର୍ଚ୍ଚ ପେପର ପ୍ରକାଶ କରିସାରିଲେଣି। ଦେଶରେ ଟିବି ରୋଗ ଏବଂ ଫୁସ୍‌ଫୁସ୍‌ ଜନିତ କର୍କଟ ରୋଗ ଚିକିତ୍ସା ପାଇଁ ସେ କାର୍ଯ୍ୟ କରୁଛନ୍ତି। ଏତଦ୍‌ ବ୍ୟତୀତ ଦିଗମ୍ବର ଇଣ୍ଡିଆନ୍‌ କଲେଜ ଅଫ୍‌ ଫିଜିସିଆନ୍‌, ଇଣ୍ଟର ନ୍ୟାଶନାଲ କଲେଜ ଅଫ୍‌ ଆଞ୍ଜିଓଲୋଜି, ଇଣ୍ଡିଆନ୍‌ ଚେଷ୍ଟ ସୋସାଇଟି ଏବଂ ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ଅନ୍‌କୋଲୋଜି ସହ ଜଡ଼ିତ।