Categories: ମେଟ୍ରୋ

କରୋନା ମୁକାବିଲା: ଏସ୍‌ସିବିରେ ହେବ ୭୦୦ ଶଯ୍ୟା, ୫୦ ଆଇସିୟୁ

କଟକ ଅଫିସ,୨୬ା୩:କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ରାଜ୍ୟର ଏହି ସର୍ବବୃହତ ଚିକିତ୍ସାଳୟରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ପ୍ରାକ୍‌ ସତର୍କତା ଦୃଷ୍ଟିକୋଣରୁ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବା ନେଇ ଯୋଜନା ହୋଇଛି। ଏସ୍‌ସିବିରେ କେବଳ କରୋନା ସନ୍ଦିଗ୍ଧ ଓ ଆକ୍ରାନ୍ତଙ୍କ ନିମନ୍ତେ ୭୦୦ ଶଯ୍ୟା ଓ ୫୦ଟି ଆଇସିୟୁ ବ୍ୟବସ୍ଥା କରାଯିବ। ୭୦୦ ଶଯ୍ୟା ମଧ୍ୟରୁ ୧୩୦ଟି ସ୍ବତନ୍ତ୍ର କ୍ୟାବିନ୍‌ ରହିବ, ଯେଉଁଠାରେ ସନ୍ଦିଗ୍ଧ କିମ୍ବା ରୋଗୀଙ୍କୁ ଉତ୍ତମମାନର ଚିକିତ୍ସା ସେବା ମିଳିପାରିବ। ସମ୍ପ୍ରତି ଏଠାରେ ୫୬ ଶଯ୍ୟା ଓ ୮ଟି ଆଇସିୟୁ ବ୍ୟବସ୍ଥା ରହିଛି। ମେଡିିକାଲ ପରିସରରେ ଥିବା ବିଭିନ୍ନ କୋଠାରେ ଉକ୍ତ ବର୍ଦ୍ଧିତ ଶଯ୍ୟା ବ୍ୟବସ୍ଥା କରାଯିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି। ଏ ସମ୍ପର୍କରେ ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡା. ଅନ୍ନଦା ପ୍ରସାଦ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, କରୋନା ମୁକାବିଲା ପାଇଁ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦିଆଯାଉଛି। ଏବେ ଷ୍ଟାଫ୍‌ ସଙ୍କଟକୁ ଏଡାଇବା ପାଇଁ ପ୍ରସ୍ତୁତ ହେଉଛୁ। ଅନ୍ୟପକ୍ଷରେ ଏସ୍‌ସିବି ପରିସରରୁ କିଛିଦିନ ହେଲା ପାର୍କିଂ ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି। ରୋଗୀ ସମ୍ପର୍କୀୟମାନେ ଏ ଦିଗରେ ସହଯୋଗ କରିବାକୁ ମେଡିିକାଲ ପକ୍ଷରୁ ନିବେଦନ କରାଯାଇଛି।