କରୋନା ମୁକାବିଲା: ଆଜି ଓଡ଼ିଶାବାସୀଙ୍କୁ ସ୍ବତନ୍ତ୍ର ଉଦ୍‌ବୋଧନ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୪।୩(ବ୍ୟୁରୋ): କରୋନା (କୋଭିଡ-୧୯) ବିଶ୍ୱ ପାଇଁ ମହାମାରୀ ଭାବେ ଉଭା ହୋଇଛି। ୟୁରୋପୀୟ ଦେଶଗୁଡିକରେ କରୋନା ଭୂତାଣୁ ତାଣ୍ଡବ ରଚାଇଥିବାବେଳେ ଭାରତରେ ଏହା ଧୀରେ ଧୀରେ ପ୍ରବେଶ କରିବା ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକ୍‌ଡାଉନ୍‌ ଭଳି କଠୋର ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ଘରୁ ନ ବାହାରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ବାରମ୍ବାର ନିବେଦନ କରୁଛନ୍ତି। ଏହି ମହାମାରୀର କୌଣସି ଔଷଧ ନ ଥିବାରୁ ପ୍ରତିକାର ହିଁ ଏକମାତ୍ର ପନ୍ଥା। କରୋନାର ବ୍ୟାପକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମଗ୍ର ରାଜ୍ୟକୁ ଲକ୍‌ଡାଇନ୍‌ ଘୋଷଣା କରିଛନ୍ତି। ଯାନବାହନ, ଶପିଂ ମଲ, ଦୋକାନବଜାର, ହାଟ, ସାମାଜିକ ମିଳାମିଶା, ସଭାସମିତି ସବୁ ବନ୍ଦ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସନ୍ଧ୍ୟାରେ କରୋନାର ମୁକାବିଲା ନେଇ ରାଜ୍ୟବାସୀଙ୍କୁ ଗଣମାଧ୍ୟମ ଜରିଆରେ ସ୍ବତନ୍ତ୍ର ଭାବେ ନିବେଦନ କରିବେ ବୋଲି ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇଛନ୍ତି।