କରୋନା ମୁକାବିଲାରେ ଏମ୍‌ଜିଏନ୍‌ଆରଇଜିଏ ଭରସା

ବଲାଙ୍ଗୀର ଅଫିସ, ୧୧ା୫: କରୋନା ମହାମାରୀ ସବୁଠୁ ବେଶୀ ପ୍ରଭାବିତ କରିଛି ଅର୍ଥନୈତିକ କ୍ଷେତ୍ରକୁ। କ୍ରମାଗତ ଲକ୍‌ଡାଉନ୍‌ ଯୋଗୁଁ ଲୋକଙ୍କ ରୋଜଗାର, ବ୍ୟବସାୟ ବନ୍ଦ ହୋଇପଡିଛି। ଏଭଳି ସମୟରେ ସରକାରୀସ୍ତରରେ ଏମ୍‌ଜିଏନ୍‌ଆରଇଜିଏ ଜରିଆରେ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ସବଳ କରିବା ପାଇଁ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ଜିଲାପାଳ ଅରିନ୍ଦମ ଡାକୁଆ ଜିଲାର ଜନସାଧାରଣଙ୍କୁ ଭିଡିଓ ମ୍ୟାସେଜ୍‌ ଜରିଆରେ ଅବଗତ କରିଛନ୍ତି ଯେ, ଜିଲାରେ ଅର୍ଥନୈତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସାମାଜିକ ଦୂରତ୍ୱ ପାଳନ କରିବା, ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାନିଟାଇଜର ବ୍ୟବହାର କରିବା ଉପରେ ଲୋକଙ୍କୁ ଅପିଲ କରାଯାଉଛି। ଜିଲାରେ ବ୍ୟାପକ ଭାବେ ଏମ୍‌ଜିଏନ୍‌ଆରଇଜିଏ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଣୁ ସ୍ଥାନୀୟ ସରପଞ୍ଚ ଓ ବିଡିଓମାନଙ୍କୁ ଯୋଗାଯୋଗ କରି ଲୋକେ କାମ କରିବାକୁ ଆବେଦନ କରନ୍ତୁୁ ବୋଲି ସେ ସୂଚନା ଦେଇଛନ୍ତି। ଏମ୍‌ଜିଏନ୍‌ଆରଜିଏ ଯୋଜନା ମାଧ୍ୟମରେ କାମ ଯୋଗାଇ ଦେବା ଓ ସେମାନଙ୍କ ମଜୁରି ଯୋଗାଇ ଦେବା ପାଇଁ ଅର୍ଥର କୌଣସି ଅଭାବ ନାହିଁ ବୋଲି ସେ କହିଛନ୍ତି। ରବିବାର ମହାରାଷ୍ଟ୍ରର ପାନ୍‌ବେଲଠାରୁ ଏକ ସ୍ବତନ୍ତ୍ର ଟ୍ରେନ୍‌ରେ ଆସିଥିବା ପ୍ରବାସୀଙ୍କ ମଧ୍ୟରେ ବଲାଙ୍ଗୀର ଜିଲାର ୨୦୮ ଜଣ ଥିଲେ। ବଲାଙ୍ଗୀର ସମେତ ଅନ୍ୟ ଜିଲାର ସମସ୍ତ ପ୍ରବାସୀଙ୍କୁ ସ୍ବତନ୍ତ୍ର ବସ୍‌ ଓ ସାନବାହନ ଯୋଗେ ସେମାନଙ୍କ ଜିଲା ଓ ନିର୍ଦ୍ଦିଷ୍ଟ ସ୍ଥାନୀୟ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଥିଲା। ସୋମବାର ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ ଆସିଥିବା ଆଉ ଏକ ଟ୍ରେନ୍‌ ଟିଟିଲାଗଡରେ ପହଞ୍ଚିବା ପରେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଇ ଦିଆଯାଇଛି। ଜିଲାର ପ୍ରତ୍ୟେକ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ବିଭିନ୍ନ ପ୍ରକାର ସୁବ୍ୟବସ୍ଥା କରାଯାଇଛି। ଉକ୍ତ କ୍ୱାରାଣ୍ଟାଇନ୍‌ ସେଣ୍ଟରଗୁଡିକରେ ଜଣେ ବୟୋପ୍ରାପ୍ତ ସଦସ୍ୟଙ୍କ ପାଇଁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବା ଅବଧି ଭିତରେ ପ୍ରତିଦିନ ୧୨୦ଟଙ୍କା ମୂଲ୍ୟରେ ଦୁଇଓଳି ଖାଇବା, ସକାଳ ଓ ସନ୍ଧ୍ୟାରେ ଜଳଖିଆ ଦିଆଯିବା ବ୍ୟବସ୍ଥା କରାଯାଇଛି। ଗୁଣାତ୍ମକ ଓ ସୁସ୍ବାଦୁ ଖାଦ୍ୟ ଦିଆଯିବା ବ୍ୟବସ୍ଥା କରାଯାଉଛି ବୋଲି ଜିଲାପାଳ କହିଛନ୍ତି।