କରୋନା ଭୟ: ବିଦେଶରୁ ଫେରିଥିବା ୧୩ବ୍ୟକ୍ତିଙ୍କ ଡାକ୍ତରୀ ପରୀକ୍ଷା

ଭୋଗରାଇ, ୮।୨(ଡି.ଏନ.ଏ.): କରୋନା ଭାଇରାସ କାୟାବିସ୍ତାର କରି ଚାଲିଥିବା ବେଳେ ବିଦେଶରୁ ଫେରିଥିବା ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳର ୧୩ଜଣ ବ୍ୟକ୍ତିଙ୍କୁ ବିଭିନ୍ନ ବିମାନବନ୍ଦରରେ ଡାକ୍ତରୀ ପରୀକ୍ଷା କରାଯାଇଛି। ତେବେ ରାଜ୍ୟ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ବ୍ୟାପକ ସତର୍କ ଓ ପ୍ରତିଷେଧକ ନିମନ୍ତେ ସଚେତନତା କାର୍ଯ୍ୟ କରାଯାଉଛି। ଶନିବାର ଭୋଗରାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଚିକିତ୍ସା ଅଧିକାରୀ ଡାକ୍ତର କମଳାକାନ୍ତ ଜେନାଙ୍କ ନେତୃତ୍ୱରେ ଏକ ଚିକିତ୍ସକ ଦଳ ଯାଇ ସେମାନଙ୍କୁ ଡାକ୍ତରୀ ପରୀକ୍ଷା କରିଛନ୍ତି। ଏଥିସହିତ ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ସହିତ ପରିବାରର ସମସ୍ତ ସଦସ୍ୟଙ୍କୁ ପ୍ରତିଷେଧକ ନିମନ୍ତେ ମାକ୍ସ ଓ କରୋନା ଭୂତାଣୁଜନିତ ସଂକ୍ରମିତ ରୋଗର ଲକ୍ଷଣ ସମ୍ପର୍କରେ ସଚେତନ କରାଯାଇଛି। ଚାଇନାରେ ଏହି ରୋଗ ଅଣାୟତ୍ତ ହୋଇପଡ଼ିଥିବା ବେଳେ ଭୋଗରାଇର ପାଣିଷଣ୍ଡା, ସୁନାଧରବସାଣ ଓ ରସଲପୁର ଗ୍ରାମର ୭ଜଣ ବ୍ୟକ୍ତି ଚାଇନାରୁ ଫେରିଥିବା ବେଳେ ଜାପାନରୁ ୨ଜଣ, ସାଉଦିଆରବରୁ ୩ଜଣ, ଇଣ୍ଡୋନେସିଆରୁ ଜଣେ ବ୍ୟକ୍ତି ଗାଁକୁ ଫେରିଛନ୍ତି।