କରୋନା ଭୟ: ଦିଲ୍ଳୀ-ଗୁରୁଗ୍ରାମ ବର୍ଡର ସିଲ୍‌

ନୂଆଦିଲ୍ଲୀ,୧।୫: କରୋନା ଭାଇରସ୍‌ ସଂକ୍ରମଣ ସଙ୍କଟକୁ ଦେଖି ଏବେ ଗୁରୁଗ୍ରାମ ସୀମାକୁ ସିଲ୍‌ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏଭଳି ସ୍ଥିତିରେ କେବଳ ସେହି ଲୋକଙ୍କୁ ଯିବାକୁ ଅନୁମତି ଦିଆଯିବ, ଯେଉଁମାନଙ୍କ ପାଖରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପାସ୍‌ ଜାରି କରାଯାଇଥିବ। ଏନେଇ ଗୁରୁଗ୍ରାମର ଜିଲାପାଳ ଓ ଡେପୁଟି କମିଶନର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟରେ ବଢ଼ୁଥିବା କରୋନା ମାମଲାକୁ ଦେଖି ଦିଲ୍ଲୀ-ଗୁରୁଗ୍ରାମ ବର୍ଡରକୁ ଶୁକ୍ରବାର ସିଲ୍‌ କରାଯାଇଛି। ଏହାଦ୍ୱାରା ଲୋକଙ୍କ ଯାତାୟତ କମ୍‌ ହେବା ଏବଂ ଯିଏ ଯେଉଁଠି କାର୍ଯ୍ୟ କରୁଛନ୍ତି ସେଠାରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରାଜ୍ୟରେ ଜରୁରୀ ସେବା ଯୋଗାଉଥିବା ବିଭାଗଗୁଡ଼ିକ ପରିଚୟ ପତ୍ର ଦେଖାଇ ଯାତାୟତ କରିପାରିବେ। ଏଥିସହ ନିଜ ମୋବାଇଲ୍‌ରେ ଆରୋଗ୍ୟ ସେତୁ ଆପ୍‌ ଡାଉନଲୋଡ କରି ଏବଂ ଏହାକୁ ବ୍ୟବହାର କରିବା ଜରୁରୀ ରହିବ। ସେହିପରି କାର୍ଯ୍ୟସ୍ଥଳରେ ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ ବୋଲି ସୂଚନା ମିଳିଛି।

Share