କରୋନା ଭୟରେ ଶେହନାଜ-ପାରସଙ୍କ ଶୋ’ ‘ମୁଝ୍‌ସେ ଶାଦି କରୋଗେ’ ଶୁଟିଂ ବନ୍ଦ, ଘରକୁ ଗଲେ ପ୍ରତିଯୋଗୀ

ବମ୍ବେ: ସମସ୍ତଙ୍କ ଚିନ୍ତା ବଢ଼ାଇଛି ଘାତକ କରୋନା। ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି। ଏପରି ସ୍ଥିତିରେ ବିଶେଷଭାବେ ପ୍ରଭାବିତ ହୋଇଛି ମନୋରଞ୍ଜନ କ୍ଷେତ୍ର। କଳାକାରମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ଧାରାବାହିକ ତଥା ଫିଲ୍ମର ଶୁଟିଂକୁ କରାଯାଉଛି ବାତିଲ। ଏହି କ୍ରମରେ ବନ୍ଦ ହୋଇଛି କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ‘ମୁଝ୍‌ସେ ଶାଦି କରୋଗେ’ର ଶୁଟିଂ। ଏଥିରେ ଭାଗନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ଘରକୁ ପଠାଇ ଦିଆଯାଇଛି। ଘରୁ ବାହାରିବା ପରେ ପ୍ରତିଯୋଗୀମାନେ ବେଶ୍‌ ଖୁସି ଥିବା ଦେଖିବାକୁ ମିଳିଛି। ସେମାନଙ୍କର ଅନେକ ଫଟୋ ଏବେ ଭାଇରାଲ ହେଉଛି। ମାର୍ଚ୍ଚ ୩୧ ପରେ ପୁଣିଥରେ ଶୁଟିଂ ହେବ ବୋଲି କୁହାଯାଉଛି।

ଶୋ’ରେ ନିଜ ନିଜ ପାଇଁ ଜୀବନସାଥୀ ଖୋଜୁଥିଲେ ପାରସ୍‌ ଛାବଡ଼ା ଏବଂ ଶେହନାଜ ଗିଲ। ବିଗ୍‌ବସ୍‌ରେ ଉଭୟଙ୍କ ଲୋକପ୍ରିୟତାକୁ ଦେଖି ଏଭଳି କରାଯାଉଥିଲା। ହେଲେ ଆଶା ମୁତାବକ ଟିଆର୍‌ପି ଶୋ’ ହାସଲ କରି ନ ଥିଲା। ଏଣୁ ନିକଟରେ ମାର୍ଚ୍ଚ ୨୭ରେ ଶୋ’ ବନ୍ଦ ହୋଇପାରେ ବୋଲି ଶୁଣିବାକୁ ମିଳୁଥିଲା। ଏବେ ଶୋ’ର ଶୁଟିଂକୁ ବନ୍ଦ କରାଯାଇଥିବା ଜଣାପଡ଼ିଛି। ଫଳରେ ଏପ୍ରିଲରେ ଦର୍ଶକେ ପୁଣିଥରେ ଏହାକୁ ଦେଖିବେ ବୋଲି ଆଶା କରାଯାଉଛି।

Share