କରୋନା ଭୂତାଣୁ ଆତଙ୍କ; ଭୟଭୀତ ହୁଅନ୍ତୁ ନାହିଁ : ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର,୨୭।୧(ବ୍ୟୁରୋ): କରୋନା ଭୂତାଣୁ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତ ଥିବାବେଳେ କେହି ଭୟଭୀତ ନ ହେବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସୋମବାର ରାଜ୍ୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ରାଷ୍ଟ୍ର ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ, ଭୁବନେଶ୍ୱର ଏମ୍‌ଏସ୍‌, କଟକ ଏସ୍‌ସିବି, ବୁର୍ଲା ଭୀମ୍‌ସାର, କ୍ୟାପିଟାଲ ହସ୍ପିଟାଲ ଓ ଝାରସୁଗୁଡ଼ା ମେଡିକାଲରେ କରୋନା ସଂକ୍ରମଣ ରୋଗୀଙ୍କ ଲାଗି ସ୍ବତନ୍ତ୍ର ବେଡ ବ୍ୟବସ୍ଥା କରାଯାଇଛି। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ୨ଟି କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଭୂତାଣୁ ସଂକ୍ରମଣ କୌଣସି ସୂଚନା ପାଇଁ ରାଜ୍ୟ ଜନସ୍ବାସ୍ଥ୍ୟ ନିୟନ୍ତ୍ରଣ କକ୍ଷ ଅଧିକାରୀଙ୍କୁ ୦୬୭୪-୨୩୯୦୪୬୬, ୯୪୩୯୯୯୪୮୫୭ ନଂ.ରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ତେବେ ମଙ୍ଗଳବାର ସବୁ ଜିଲାର ସିଡିଏମ୍‌ଓଙ୍କ ସହ ଆଲୋଚନା କରାଯାଇ ସ୍ବଚ୍ଛତା ଉପରେ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି। ଓଡ଼ିଶାରେ କରୋନା ସଂକ୍ରମଣ ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ସଚିବ କହିଛନ୍ତି।