Categories: ଜାତୀୟ

କରୋନା ଭାଇରସ: ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୩୧

ନୂଆଦିଲ୍ଲୀ,୬।୩: କରୋନା ଭାଇରସ ଏବେ ଦେଶରେ କୋକୁଆ ଭୟ ସୃଷ୍ଟି କରିଛି। ଦିଲ୍ଲୀରେ ଶୁକ୍ରବାର ଆଉ ଜଣେ ପଜିଟିଭ ମିଳିବା ପରେ ଏବେ ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୩୧ରେ। ଏଥିରୁ ଦୂରେଇ ରହିବାକୁ ସରକାରୀ ଓ ବେସରକାରୀ ସ୍ତରରେ ସଚେତନତା ସୃଷ୍ଟି କରାଯାଉଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢିବାରୁ ଏହା ପୁଣି ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏମାନଙ୍କ ମଧ୍ୟରୁ ୨ଜଣ ରାଜସ୍ଥାନ, ଜଣେ ତେଲେଙ୍ଗାନା ଓ ଅନ୍ୟମାନଙ୍କର ଦିଲ୍ଲୀ ଓ ହରିୟାଣାରେ ଚିକିତ୍ସା ଚାଲୁଥିବା ସୂଚନା ରହିଛି। ଏଭଳି ପରିସ୍ଥିତିରେ ଗୁରୁଗ୍ରାମର ଏକ ଘରୋଇ କମ୍ପାନୀ ସମସ୍ତ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ କହିଛନ୍ତି। ନିହାତି ଆବଶ୍ୟକ ପଡିଲେ କାର୍ଯ୍ୟାଳୟ ଆସିବାକୁ କୁହାଯାଇଛି। ସୂଚନାଯୋଗ୍ୟ, ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରସ ଧୀରେ ଧୀରେ ପାଖାପାଖି ୮୨ ଦେଶକୁ ବ୍ୟାପିଥିବା ବେଳେ ଆମେରିକା ଭଳି ଶକ୍ତିଶାଳୀ ଦେଶ ମଧ୍ୟ ଏହା କବଳକୁ ଆସି ଯାଇଛି।

Share