କରୋନା ଭାଇରସ: ମୌଲାନାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଲେ ଲକ୍ଷାଧିକ ଲୋକ

ଢାକା,୨୦।୪: ପାକିସ୍ତାନରେ ଇମ୍ରାନ ଖାଁ ସରକାର ଓ ମୌଳବାଦୀ ନେତାଙ୍କ ମଧ୍ୟରେ ଲକ୍‌ଡାଉନକୁ ନେଇ ଚାଲିଥିବା ତୁତୁମେଁମେଁ ଭିତରେ ଏବେ ବାଂଲାଦେଶରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସଛି। ଢାକାରେ ଶନିବାର ଜଣେ ମୌଲାନାଙ୍କ ଅନ୍ତିମ ସଂସ୍କାର ସମୟରେ ଲକ୍‌ଡାଉନ ନିୟମ ଉଲ୍ଲଂଘନ କରି ଲକ୍ଷାଧିକ ଲୋକ ଏକାଠି ହୋଇଥିବା ଦେଖାଯାଇଛି। ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ନେଇ ବାଂଲାଦେଶରେ ଲକ୍‌ଡାଉନ ଜାରି ରହିଛି। ଡନ୍‌ରେ ପ୍ରକାଶିତ ଏକ ଖବର ଅନୁଯାୟୀ, ୫୫ ବର୍ଷୀୟ ମୌଲାନା ଜୁବେର ଅହମ୍ମଦ ଅଂସାରୀଙ୍କର ଶୁକ୍ରବାର ପରଲୋକ ହୋଇଥିଲା। ତାଙ୍କର ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ସ୍ଥାନୀୟ ମସଜିଦ ପକ୍ଷରୁ କୁହାଯାଇଥିଲା। ଏହାପରେ ପ୍ରଶାସନ ଓ ପୋଲିସ ଚୁପ୍‌ ବସିଥିବା ଏବଂ ଲୋକେ ଲକ୍‌ଡାଉନ୍‌ ନିୟମ ଭାଙ୍ଗି ଏଥିରେ ଲକ୍ଷାଧିକ ସଂଖ୍ୟାରେ ଯୋଗ ଦେଇଥିବା ଦେଖାଯାଇଥିଲା।

Share