Categories: ଖେଳ

କରୋନା ଭାଇରସ: ମହିଳା ହକି ଖେଳାଳିଙ୍କୁ ବିମାନ ବନ୍ଦରରୁ ଫେରିବାକୁ କୁହାଗଲା

ବେଙ୍ଗାଲୁରୁ,୧୫।୩- କରୋନା ଭାଇରସ ଏବେ ଭାରତୀୟ କ୍ରୀଡ଼ାକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଏପରିକି ଖେଳାଳିମାନଙ୍କୁ ନିଜ ଘରକୁ ଯିବାକୁ ମଧ୍ୟ ବାରଣ କରାଯାଇଛି। ସ୍ଥାନୀୟ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ସେଣ୍ଟରରେ କଡ଼ା ଟ୍ରେନିଂ ତଥା ପ୍ରଶିକ୍ଷଣ ସାରି ଭାରତୀୟ ମହିଳା ହକି ଖେଳାଳିମାନେ ଗୋଟିଏ ସପ୍ତାହ ବିଶ୍ରମ ପାଇଥିବାରୁ ବିମାନ ଯୋଗ ଘରୁ ଯିବାକୁ ବାହାରିଥିଲେ। ତେବେ ବେଙ୍ଗାଲୁରୁର କେମ୍ପେଗୌଡା ବିମାନ ବନ୍ଦରରୁ ସେମାନଙ୍କୁ ସାଇ ସେଣ୍ଟରକୁ ପ୍ରତ୍ୟାବର୍ତ୍ତନ କରିବାକୁ କୁହାଯାଇଛି। ଶନିବାର ୭ଜଣ ଖେଳାଳି ଘରକୁ ଯିବା ପାଇଁ ବିମାନ ବନ୍ଦର ଯାଇଥିବା ବେଳେ ସେମାନଙ୍କୁ ଫେରିବାକୁ କୁହାଯାଇଛି। କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟି ରଖି ଏପରି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଇଛି। ସାଇ ଓ ହକି ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ ହୋଇଥିଲା। ଫେବୃୟାରୀ ୧୬ ତାରିଖରୁ ଖେଳାଳିମାନେ ଏଠାରେ ଟ୍ରେନିଂ କରି ଆସୁଥିଲେ। ଶନିବାର ଟ୍ରେନିଂ କ୍ୟାମ୍ପ ଶେଷ ହୋଇଥିଲା। ଖେଳାଳିମାନେ ମାସ୍କ ଓ ସାନିଟାଇଜର ସହିତ ଘରକୁ ଯାତ୍ରା କରିବା ଆରମ୍ଭ କରିଥିଲେ। ତେବେ ଶେଷରେ ସେମାନଙ୍କୁ ନିରାଶ ହେବାକୁ ପଡିଥିଲା। ପୁଣି ଥରେ ମାର୍ଚ୍ଚ ୨୩ ତାରିଖରେ କ୍ୟାମ୍ପ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏ ଭଳି ସ୍ଥିତିରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ସାଇ ସିନିୟର ଡାଇରେକ୍ଟର କ୍ୟପ୍‌ଟେନ ଅଜୟ କୁମାର ବାହି କହିଛନ୍ତି। ସାଇକୁ ବନ୍ଦ କରାଯାଇଛି। ସାରା ବେଙ୍ଗାଲୁରୁ ମଧ୍ୟ ଠପ୍‌ ହୋଇଛି। ଏପରିସ୍ଥଳେ ଖେଳାଳିମାନଙ୍କୁ ଫେରିଆସିବା ଛଡ଼ା ଅନ୍ୟ ଉପାୟ ନାହିଁ। ଏବେ ଖେଳାଳିମାନେ ସେମବାର ଅଭ୍ୟାସ ଆରମ୍ଭ କରିବେ ବୋଲି କୋଚ୍‌ ଜୋଏର୍ଡ ମାରିଜନେ କହିଛନ୍ତି।
ମାରିଜନେ ମଧ୍ୟ ଯାତ୍ରା ବାତିଲ କଲେ
ମହିଳା ହକି ମୁଖ୍ୟ କୋଚ୍‌ ଜୋଏର୍ଡ ମାରିଜନେ ମଧ୍ୟ କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଘରକୁ ଯିବାର ଯୋଜନାରୁ ଓହରିଯାଇ ଯାତ୍ରା ବାତିଲ କରିଛନ୍ତି। ବିମାନବନ୍ଦରକୁ ଯାଉଥିବା ବେଳେ ସେ ଘରକୁ ଯିବାର ନିଷ୍ପତ୍ତିରେ ପରିବର୍ତ୍ତନ ଆଣିଥିଲେ। ଏଭଳି ପରସ୍ଥିତିରେ ସେ କୌଣସି ରିସ୍କ ନେବାକୁ ଚାହାନ୍ତି ନାହିଁ ବୋଲି ମାରିଜନେ ଟୁଇଟ୍‌ କରିଛନ୍ତି। ମୁଁ କେବେ ପରିବାର ଲୋକଙ୍କ ସହ ମିଶି ତାହା ଜାଣିନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି। ସେହିପରି ମହିଳା ଦଳ ଆନାଲିଟିକାଲ କୋଚ୍‌ ଜାନେକେ ସ୍କୁପମ୍ୟାନ ନିଜର ଆମେରିକା ଯାତ୍ରା ବାତିଲ କରିଛନ୍ତି। ଉଲ୍ଲେଖଥାଉ କି, ପୁରୁଷ ହକି ଦଳ ମଧ୍ୟ ଏଠାରେ ଟ୍ରେନିଂ ଜାରି ରଖିଛି। ମାର୍ଚ୍ଚ ୨୭ରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ବିଶ୍ରାମ ରହିଛି। ତେବେ ପରିସ୍ଥିତିରେ ସୁଧାର ନ ହେଲା ପର୍ଯ୍ୟନ୍ତ ପୁରୁଷ ଖେଳାଳିଙ୍କୁ ଯାତ୍ରା କରିବାକୁ ବାରଣ କରାଯାଇଛି।

Share