କରୋନା ଭାଇରସ: ବ୍ରାଜିଲରେ ଗୋଟିଏ ପିପିଇକୁ ବାରମ୍ବାର ପିନ୍ଧୁଛନ୍ତି ସ୍ବାସ୍ଥ୍ୟକର୍ମୀ !

ବ୍ରସିଲିଆ,୨୧।୫: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଚାହୁଁ ଚାହୁଁ ସାରା ବିଶ୍ୱକୁ ବ୍ୟାପିଯାଇଛି। ପ୍ରଥମେ କରୋନାର ହଟ୍‌ସ୍ପଟ୍‌ ଉହାନ ହୋଇଥିବା ବେଳେ ଏବେ ଏହି ତାଲିକାରେ ଇଟାଲି, ଆମେରିକା, ଇରାନ ଆଦି ସାମିଲ ହୋଇ ସାରିଛନ୍ତି। ହେଲେ ଏବେ ବ୍ରାଜିଲ ମଧ୍ୟ ଏହି ତାଲିକାରେ ଉପରକୁ ଉଠିବାରେ ଲାଗିଛି। ଦକ୍ଷିଣ ଆମେରିକୀୟ ଦେଶ ବ୍ରାଜିଲରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଛୁଇଁବାକୁ ଯାଉଥିବା ବେଳେ ଏଠାରେ ୧୪ହଜାରରୁ ଉର୍ଦ୍ଧ୍ୱ ସ୍ବାସ୍ଥ୍ୟକର୍ମୀ କରୋନାରେ ପୀଡିତ ହୋଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ୧୭୯ ଜଣ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ମଧ୍ୟ ହେଲାଣି। ଶୁଣିବାକୁ ମିଳୁଛି କି ଏଠାରେ କାମ କରୁଥିବା ସ୍ବାସ୍ଥ୍ୟକର୍ମୀମାନେ ପର୍ସନାଲ ପ୍ରୋଟେକଟିଭ୍‌ ଇକ୍ୟୁପମେଣ୍ଟ(ପିପିଇ)କିଟ୍‌କୁ ଠିକ୍‌ ଭାବେ ପିନ୍ଧି ପାରୁ ନାହାଁନ୍ତି। ଯାହା ଫଳରେ ସେମାନେ ଅଧିକ ପରିମାଣରେ ସଂକ୍ରମିତ ହେଉଛନ୍ତି। ଆହୁରି ମଧ୍ୟ କେତେଜଣ ଗୋଟିଏ ପିପିଇକୁ ବାରମ୍ବାର ବ୍ୟବହାର କରିବା ଫଳରେ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ସଂକ୍ରମଣ ବଢୁଛି ବୋଲି କୁହାଯାଉଛି। ଏବେ ବ୍ରାଜିଲରେ ଯେଉଁ ପରିମାଣରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ସେଥିପାଇଁ ହସ୍ପିଟାଲର ଅଭାବ ପରିଲକ୍ଷିତ ହେଲାଣି।

Share