କରୋନା ଭାଇରସ: ଚିକିତ୍ସା ସମୟରେ ସହଯୋଗ କରୁ ନାହାନ୍ତି କନିକା!

ଲକ୍ଷ୍ନୌ,୨୨।୩: ବଲିଉଡ୍‌ ଗାୟିକା କନିକା କପୁରଙ୍କ ନିକଟରେ କରୋନା ପଜିଟିଭ୍‌ ମିଳିବା ପରେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। କାରଣ ଲଣ୍ଡନରୁ ଫେରିବା ପରେ କନିକା ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଏକ ପାର୍ଟିରେ ଯୋଗ ଦେଇଥିବା ବେଳେ ସେଠାରେ ବହୁ ରାଜନେତା ଓ ଭିଭିଆଇପିଙ୍କ ସଂସ୍ପର୍ଶରେ ଆସିଥିଲେ। ଆଉ ସେ କରୋନାରେ ପୀଡିତ ଥିବା ଜଣାପଡିବା ପରେ କେତେଜଣ ରାଜନେତା ନିଜକୁ ସେଲ୍ଫ ଆଇସୋଲେଶନରେ ରଖିଦେଇଥିଲେ। ଏବେ କନିକାଙ୍କର ଲକ୍ଷ୍ନୌ ସ୍ଥିତ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏସ୍‌ଜିପିଜିଆଇ)ରେ ଚିକିତ୍ସା ଚାଲୁଛି। ହେଲେ ଚିକିତ୍ସା ସମୟରେ ସେ ହସ୍ପିଟାଲ ଷ୍ଟାଫଙ୍କୁ ସହଯୋଗ କରୁ ନ ଥିବା ଜଣାପଡିଛି। ଏମିତିକି ହସ୍ପିଟାଲ କର୍ତ୍ତୃପକ୍ଷ ଏହାକୁ ନେଇ ଅଭିଯୋଗ କରିଥିବା ଶୁଣିବାକୁ ମିଳିଛି। ହସ୍ପିଟାଲରେ କନିକା ଭିଆଇପି ସୁବିଧା ଖୋଜୁଥିବା କୁହାଯାଉଛି। ଅନ୍ୟପଟେ ତାଙ୍କ ଦ୍ୱାରା କରୋନା ସଂକ୍ରମଣ ଅଧିକ ହୋଇଥିବା ଅଭିଯୋଗରେ ତାଙ୍କ ନାଁରେ ଏଫ୍‌ଆଇଆର୍‌ ମଧ୍ୟ କରାଯାଇଛି। ବଲିଉଡ୍‌ର କେତେଜଣ ସେଲିବ୍ରିଟି କନିକାଙ୍କର ଏଭଳି କାର୍ଯ୍ୟକୁ ଖୁବ୍‌ ନିନ୍ଦା କରିଛନ୍ତି।

Share