Categories: ଖେଳ

କରୋନା ଭାଇରସ୍‌: ସେଫିଲ୍ଡ ସିଲ୍ଡ୍‌ ଫାଇନାଲ ରାଉଣ୍ଡ ବାତିଲ

ମେଲବୋର୍ନ, ୧୫।୩(ପି.ଟି.)- ଅଷ୍ଟ୍ରେଲିଆର ଶ୍ରେଷ୍ଠ ପ୍ରଥମ ଶ୍ରେଣୀ ଲିଗ୍‌ ଭାବେ ଜଣାଶୁଣା ଥିବା ସେଫିଲ୍ଡ ସିଲ୍ଡର ପାଇନାଲ ରାଉଣ୍ଡକୁ ବାତିଲ କରିବାକୁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ନିଷ୍ପତ୍ତି ନେଇଛି। କରୋନା ଭାଇରସ୍‌ କାରଣରୁ ସୃଷ୍ଟି ହୋଇଥିବା ମହାମାରୀକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଇଛି। ତେବେ ମାର୍ଚ୍ଚ ୨୭ ତାରିଖରୁ ଆରମ୍ଭ ହେବାକୁଥିବା ଟାଇଟଲ ମ୍ୟାଚ୍‌ ନେଇ ସିଏ ଭିନ୍ନ ମତ ପୋଷଣ କରିଛି। ଏ ନେଇ ସିଏ ମୁଖ୍ୟ କାର୍ଯ୍ୟନିର୍ବାହୀ କେଭିନ ରବଟର୍‌ସ ସ୍ପଷ୍ଟ କରିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମଥର ପାଇଁ ସେଫିଲ୍ଡ ସିଲ୍ଡର ଫାଇନାଲ ରାଉଣ୍ଡକୁ ବାତିଲ କରାଯାଇଛି। ବୃହତ୍ତର ସ୍ବାର୍ଥ ପାଇଁ କ୍ରିକେଟକୁ ଏବେ ପଛରେ ରଖିବାକୁ ହେବ ବୋଲି ରବଟର୍‌ସ କହିଛନ୍ତି।
ବିଭିନ୍ନ ସରକାରୀ ଏଜେନ୍ସି, ଆମ ମେଡିକାଲ ଟିମ୍‌ ଓ ସଂକ୍ରମିତ ରୋଗ ବିଶେଷଜ୍ଞଙ୍କ ସହିତ ଯୋଗାଯୋଗ ରକ୍ଷା କରିଛୁ। ଏମାନଙ୍କଠାରୁ ପରାମର୍ଶ ନେଇ ଆମେ ଏପରି ନିଷ୍ପତ୍ତି ନେଇଛୁ ବୋଲି ରବଟର୍‌ସ କହିଛନ୍ତି। କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଆମର ମଧ୍ୟ ଉଲ୍ଲେଖନୀୟ ଭୂମିକା ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ପର୍ଥର ଓ୍ବାକା, ଆଡିଲେଡର କରେନ ରୋଲଟନ ଓଭାଲ ଓ ମେଲବୋର୍ନର ଜଙ୍କସନ ଓଭାଲରେ ଅନୁଷ୍ଠିତ ମ୍ୟାଚ୍‌ଗୁଡିକରେ ବିନା ଦର୍ଶକରେ ଆୟୋଜନ କରାଯାଇଛି। ଯଦି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଓ ପରିସ୍ଥିତିରେ ଉନ୍ନତି ଘଟେ ତେବେ ଫାଇନାଲ ଯୋଜନା ଅନୁସାରେ ଖେଳାଯାଇ ପାରେ ବୋଲି ସିଏ ତରଫରୁ କୁହାଯାଇଛି। ଲିଗ୍‌ରେ ନ୍ୟୁ ସାଉଥ୍‌ ଓ୍ବେଲ୍ସ ବ୍ଲୁଜ୍‌ ୯ଟି ମ୍ୟାଚ୍‌ ଖେଳି ୬ଟି ବିଜୟ ସହ ଶୀର୍ଷ ରହିଛି। ସେହିପରି ୧୨.୨୩ କମ୍‌ ପଏଣ୍ଟ ପାଇଁ ଭିକ୍ଟୋରିଆ ଦ୍ୱିତୀୟ ସ୍ଥାନରେ ରହିଛି।

Share