କରୋନା ଭାଇରସ୍‌: ପାରୋଲରେ ଆସିବେ ଲାଲୁ!

ରାଞ୍ଚି,୭।୪: କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ଝାରଖଣ୍ଡ ସରକାର ଉଦ୍ୟମ ଚଳାଇଛନ୍ତି। ଇତିମଧ୍ୟରେ ବିହାରର ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଜେଲ୍‌ରୁ ମୁକୁଳାଇବା ପାଇଁ ଝାରଖଣ୍ଡ ସରକାର ବିଚାର କରୁଥିବା ଜଣାପଡ଼ିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସରକାର ଲାଲୁଙ୍କୁ ପାରୋଲରେ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସରକାର ଆଡଭୋକେଟ ଜେନେରାଲ ଓ ଜେଲ୍‌ ପ୍ରଶାସନ ସହ ବିଚାର ବିମର୍ଷ କରୁଛନ୍ତି। ମଙ୍ଗଳବାର ରାଜ୍ୟର କୃଷିମନ୍ତ୍ରୀ ବାଦଲ ପତ୍ରଲେଖ ଏନେଇ ସୂଚନା ଦେଇଛନ୍ତି। ଅସୁସ୍ଥତା କାରଣରୁ ବର୍ତ୍ତମାନ ଲାଲୁ ରିମ୍ସ ହସ୍ପିଟାଲର ପେଇଂ ଓ୍ବାର୍ଡରେ ଭର୍ତ୍ତି ହୋଇଛନ୍ତି। ଏବେ ଏହି ପେଇଂ ଓ୍ବାର୍ଡରେ କରୋନା ସନ୍ଦିଗ୍ଧଙ୍କ ପାଇଁ ଆଇସୋଲେଶନ୍‌ ଓ୍ବାର୍ଡ ତିଆରି କରାଯିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, କରୋନା ଭୟାବହତାକୁ ଦେଖି ସୁରକ୍ଷା ଦୃଷ୍ଟିରୁ ଜେଲ୍‌ରେ ଥିବା କଏଦୀଙ୍କୁ ମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସୋରେନ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Share