‘କରୋନା’ ଭାଇରସ୍‌ ପାଇଁ ଆଡ୍‌ଭାଇଜରି: ୪ ମେଡିକାଲରେ ଖୋଲିବ ସ୍ବତନ୍ତ୍ର ଓ୍ବାର୍ଡ

ଭୁବନେଶ୍ୱର, ୨୬।୧ (ବ୍ୟୁରୋ)/ କଟକ ଅଫିସ : ‘କରୋନା’ ଭାଇରସ୍‌ ପାଇଁ ଶନିବାର ରାଜ୍ୟ ସରକାର ଆଡ୍‌ଭାଇଜରି ଜାରି କରିଛନ୍ତି। ରାଜ୍ୟର ବିଭିନ୍ନ ପ୍ରମୁଖ ହସ୍ପିଟାଲକୁ ସ୍ବାସ୍ଥ୍ୟ ବିଭାଗ ଚିଠି ଲେଖିଛି। ‘କରୋନା’ ଚିହ୍ନଟ ଓ ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ହସ୍ପିଟାଲଗୁଡ଼ିକୁ ସତର୍କ କରାଯାଇଛି। ଏଥିସହ କଟକ ଏସ୍‌ସିବି, ବୁର୍ଲା, ଝାରସୁଗୁଡା ଜିଲା ମୁଖ୍ୟ ଚିକିତ୍ସାଳୟ ଓ କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ର ୱାର୍ଡ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦର ସମେତ ପାରାଦୀପ ବନ୍ଦର ଏବଂ ରେଲ୍‌ୱେ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଚିଠି ଲେଖାଯାଇଛି। ବିଶେଷକରି ବିଦେଶରୁ ଆସୁଥିବା ଘାତକ ‘କରୋନା’ ସନ୍ଦିଗ୍ଧଙ୍କୁ ଚିହ୍ନଟ ଓ ପରୀକ୍ଷା ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ ରହିଛି।

ଅନ୍ୟପକ୍ଷରେ ‘କରୋନା’କୁ ନେଇ ଶନିବାର ଭୁବନେଶ୍ୱରସ୍ଥିତ ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସ୍ବାସ୍ଥ୍ୟ ବିଭାଗର ବହୁ ଉଚ୍ଚପଦସ୍ଥ ଅଧିକାରୀ ଯୋଗଦେଇଥିଲେ। ବରିଷ୍ଠ ମେଡିସିନ ପ୍ରଫେସର ତଥା ଡିଏମ୍‌ଇଟି ଡା. ସିବିକେ ମହାନ୍ତିଙ୍କ କହିବାନୁଯାୟୀ, ଏହା ଏକ ସାଧାରଣ ଥଣ୍ଡାଜନିତ ରୋଗ। ମାତ୍ର ଏବେ ଏହା ଗୁଣସୂତ୍ରରେ ପରିବର୍ତ୍ତନ ଆଣିବା ଫଳରେ ଅଧିକ ଉଗ୍ରରୂପ ଧାରଣ କରିଛି। ଏଥିପୂର୍ବରୁ ୨୦୦୨, ୨୦୧୩ ଓ ୨୦୧୫ରେ ଏହି ରୋଗ ମଧ୍ୟପ୍ରାଚ୍ୟରେ ଦେଖାଦେଇଥିଲା। ଭାରତର ବମ୍ବେ, କେରଳ ଓ ହାଇଦ୍ରାବାଦରେ କରୋନା ସନ୍ଦିଗ୍ଧ ରୋଗୀ ଚିହ୍ନଟ ହୋଇଛନ୍ତି। ମାତ୍ର ଏଥିପ୍ରତି ଭୟଭୀତ ହେବାର କୌଣସି କାରଣ ନାହିଁ। ସରକାର ଏଥିପ୍ରତି ସଚେତନ ଥିବା ଡାକ୍ତର ମହାନ୍ତି କହିଛନ୍ତି।