Categories: ଫୁରସତ

କରୋନା ଭାଇରସ୍‌ର ସାମ୍ନା କରୁଛନ୍ତି ଏହି ଡାକ୍ତର, ଫଟୋ ଶେୟାର କରି ଭାବୁକ ହେଲେ ଝିଅ

ବେଜିଂ: ଚାଇନାର ଉହାନ ସହରରୁ ପ୍ରଥମେ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ବର୍ତ୍ତମାନ ବିଶ୍ୱର ଅର୍ଦ୍ଧାଧିକ ଦେଶରେ କାୟା ବିସ୍ତାର କରିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ଏହି ଭାଇରସ୍‌ ଦ୍ୱାରା ଦେଢ଼ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୭୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ଏହା ଏମିତି ଏକ ରୋଗ ଯାହାର ଔଷଧ ନାହିଁ। ଏପରି ସ୍ଥିତିରେ ଡାକ୍ତରମାନେ ଏହି ମାରାତ୍ମକ ଭାଇରସ୍‌ର ସାମ୍ନା କରୁଛନ୍ତି। ଯେତେବେଳେ ସମଗ୍ର ବିଶ୍ୱର ଲୋକେ ଏହି ମାରାତ୍ମକ ରୋଗରୁ ରକ୍ଷା ପାଇଁ ଘରେ ଭିତରେ ପଶି ରହୁଛନ୍ତି ସେତେବେଳେ ଡାକ୍ତରମାନେ ନିଜ ଜୀବନକୁ ପାଣି ଛଡ଼ାଇ ରୋଗୀଙ୍କ ସେବା କରୁଛନ୍ତି। ଏପରିକି ତାଙ୍କ ପରିବାର ସଦସ୍ୟ ମଧ୍ୟ ତାଙ୍କୁ ଭେଟି ପାରୁନାହାନ୍ତି। କିଛିଦିନ ଧରି ଡାକ୍ତର ଏବଂ ଷ୍ଟାଫ୍‌ମାନେ ହସ୍ପିଟାଲକୁ ଯେପରି ଘର କରିନେଇଛନ୍ତି।
ଜଣେ ଡାକ୍ତରଙ୍କ ଝିଅ ସୋସିଆଲ ମିଡିଆରେ ପିତାଙ୍କ ଫଟୋ ଶେୟାର କରି କହିଛନ୍ତି ଫଟୋକୁ ଦେଖି ସେ ନିଜେ କୋହ ସମ୍ଭାଳି ପାରୁନାହାନ୍ତି। କ୍ରିଷ୍ଟିନ୍‌ ଫିସର ୧୭ ମାର୍ଚ୍ଚରେ ଟ୍ବିଟରରେ ପିତାଙ୍କ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ କ୍ରିଷ୍ଟିନଙ୍କ ପିତା ଡାକ୍ତରୀ ପୋଷାକରେ ନଜର ଆସିଛନ୍ତି। ସେ ଲେଖିଛନ୍ତି, ଇଏ ହେଉଛନ୍ତି ମୋ’ ପିତା, ଯିଏ କି ଜଣେ ଡାକ୍ତର। ସେ ତାଙ୍କ କାମକୁ ବହୁତ ଭଲପାଆନ୍ତି। ମୁଁ ଯେତେବେଳେ ଆଜି ପିତାଙ୍କୁ ପଚାରିଲି ତୁମେ କେମିତି ଅଛ। ସେ ମୋତେ ଏହି ଫଟୋଟି ପଠାଇଥିଲେ। ଯାହାକୁ ଦେଖି ମୁଁ ମୋ’ କୋହ ସମ୍ଭାଳି ପାରିଲିନାହିଁ। ସେହିପରି ଏହି ଫଟୋକୁ ଦେଖି ଲୋକେ ମଧ୍ୟ ଭାବୁକ ହୋଇଯାଇଛନ୍ତି। ସମସ୍ତେ ତାଙ୍କ ପିତାଙ୍କ କାମକୁ ପ୍ରଶଂସା କରିଛନ୍ତି। କିଛି ଲୋକ ତାଙ୍କ ପିତାଙ୍କ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। କିଛି ୟୁଜର କହିଛନ୍ତି, ଆପଣଙ୍କ ପିତା ହିଁ ପ୍ରକୃତ ହିରୋ।

Share