କରୋନା ବିଗାଡ଼ିଲା

ଭାଇରସ୍‌ ସାରା ବିଶ୍ୱରେ ଅଚଳାବସ୍ଥା ସୃଷ୍ଟି କରିଛି। କରୋନାକୁ ପ୍ରତିହତ କରିବାକୁ ପ୍ରଧାନମନ୍ତ୍ରୀ ସମଗ୍ର ଭାରତକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଜୀବନ ବଞ୍ଚାଇବା ପାଇଁ ଲୋକେ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରି ନିଜକୁ ଘରେ ବନ୍ଦ କରି ରଖିଛନ୍ତି। ହେଲେ ଆର୍ଥିକ ସ୍ଥିତି ବିଗିଡ଼ିବାରେ ଲାଗିଛି। ଓଡ଼ିଶାର ସୀମାନ୍ତବର୍ତ୍ତୀ ଗଜପତି ଜିଲାରେ ଏବେ ପରିସ୍ଥିତି ସଙ୍ଗୀନ ହୋଇଛି। ତିତ୍‌ଲି ବାତ୍ୟା ଓ ଏହା ପରବର୍ତ୍ତୀ ବନ୍ୟାରେ ଏହି ଜିଲା ସର୍ବଧିକ କ୍ଷତିଗ୍ରସ୍ତ ହୋଇଥିଲା। ତଥାପି ଲୋକେ ମେରୁଦଣ୍ଡ ସଳଖି ଠଆ ହେବାକୁ ଚେଷ୍ଟା କରିଥିଲେ। ହେଲେ କରୋନା ଭାଇରସ୍‌ ଜିଲା ଅର୍ଥନୀତିକୁ ସମ୍ପୂର୍ଣ୍ଣ ଦୋହଲାଇଦେଇଛି। ଆନ୍ଧ୍ର ସୀମାନ୍ତ ଜିଲାଭାବେ ବ୍ୟବସାୟ କ୍ଷେତ୍ରରେ ଜିଲାବାସୀ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭରଶୀଳ। ଅନୁରୂପ ଭାବେ ଆନ୍ଧ୍ର ସୀମାନ୍ତ ଅଞ୍ଚଳର ଲୋକେ ମଧ୍ୟ ଗଜପତି ଜିଲା ଉପରେ ନିର୍ଭର କରିଥାନ୍ତି। ହେଲେ କରୋନାର ଭୟାବହତାକୁ ନଜରରେ ରଖି ଲକଡାଉନ୍‌ ଘୋଷଣା ଯୋଗୁ ପାରଳାଖେମୁଣ୍ଡି ଠାରୁ ଆନ୍ଧ୍ରକୁ ସଂଯୋଗ କରୁଥିବା ପୁରୁଣାପାଟଣା, ଢାମୁଣୀଗାଁ-ମିଳିଆପୁଟି, ଲାବଣ୍ୟଗଡ଼-ଗୋପିଲୀ, ହାଡ଼ୁଭାଙ୍ଗି-କତ୍ତୁରୁକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ୍‌ କରାଯାଇଛି। ବ୍ୟବସାୟ ପାଇଁ ପନିପରିବା, ଫଳ, ମାଛ, କୁକୁଡ଼ା ଆଦି ପାଇଁ ଜିଲାବାସୀ ଆନ୍ଧ୍ର ଉପରେ ନିର୍ଭର କରନ୍ତି। ଏବେ ବ୍ୟବସାୟୀ, ଶ୍ରମିକ ସମସ୍ତେ ଘରେ ବସିଥିବାରୁ କୌଣସି ଜିନିଷ ଆମଦାନୀ ହୋଇପାରୁଛି। ସେହିପରି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମଧ୍ୟ ଗଜପତି ଜିଲାବାସୀ ବିଶାଖାପାଟଣା ଏବଂ ଶ୍ରୀକାକୁଲମ୍‌ ଉପରେ ନିର୍ଭରଶୀଳ। ହେଲେ ସୀମା ସିଲ୍‌ ଏବଂ ଯାନବାହନ ଚଳାଚଳ ବନ୍ଦ ଯୋଗୁ ଅନେକ ଗାଡ଼ି ମାଲିକ ତଥା ଚାଳକଙ୍କ ରୋଜଗାର ବନ୍ଦ ହୋଇଛି। ବିଶେଷକରି ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି କରି ପରିବାର ଚଳାଉଥିବା ଉପାନ୍ତ ଅଞ୍ଚଳର ଆଦିବାସୀ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି। ମହାମାରୀ କରୋନାର କାୟା ବିସ୍ତାରକୁ ରୋକିବା ପାଇଁ ଜିଲା ପ୍ରଶାସନ ଏବଂ ସରକାର ଉପଯୁକ୍ତ ପଦକ୍ଷେପ ନେଇଛନ୍ତି। ଏହାକୁ ଜିଲାବାସୀ ସ୍ବତଃସ୍ଫୂର୍ତ୍ତ ସମର୍ଥନ ଜଣାଇଛନ୍ତି। ଏବେ ଆର୍ଥିକ କଷ୍ଟ ବାଧୁଥିଲେ ମଧ୍ୟ ସତର୍କ ରହିଲେ ଶୀଘ୍ର ସମସ୍ୟା ଦୂର ହେବ ଏବଂ ପୁଣି ରୋଜଗାରର ଉପାୟ ମିଳିପାରିବ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି।
– ରଶ୍ମିରଞ୍ଜନ ମିଶ୍ର