କରୋନା ବଦଳାଇ ଦେଲା ଜୀବନର ମୋଡ: ମାଛ ବିକୁଛନ୍ତି ଗୀତିକାର

ଭଦ୍ରକ ଅଫିସ, ୫ା୬- କୁମାର ଗୌତମ ଭଦ୍ରକ ସହର ତଥା ଜିଲାର ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀ, ଓଲିଉଡ ଜଗତରେ ତାଙ୍କର ସ୍ବତନ୍ତ୍ର ପରିଚିତ ରହିଛି। ସେ ଭଦ୍ରକରେ ମେଲୋଡି ପାର୍ଟି କରି ପରିବାର ପ୍ରତିପୋଷଣ କରୁଥିଲେ। ହେଲେ କରୋନା ଲକ୍‌ଡାଉନ ତାଙ୍କ ଜୀବନର ମୋଡ଼ ବଦଳାଇ ଦେଲା। ପେଟର ଭୋକ କଣ୍ଠଶିଳ୍ପୀଙ୍କ କଣ୍ଠରୁଦ୍ଧ କରିଛି। ଫୁଟପାଥକୁ ଓହ୍ଲାଇ ଏବେ କରୁଛନ୍ତି ମାଛ ବେପାର। ଯେଉଁ ହାତରେ ମାଇକ୍‌ ଧରି ଲକ୍ଷାଧିକ ଶ୍ରୋତାଙ୍କ ମନ କିଣୁଥିଲେ ଗୌତମ ସେହି ହାତରେ ଏବେ ଧରିଛନ୍ତି ମାଛ ଓ ଦଣ୍ଡିପାଲ।
ସେ ଯାତ୍ରା ହେଉ କି ମେଲୋଡି, ସବୁଠି କୁମାର ଗୌତମଙ୍କ କଣ୍ଠରୁ ଗୀତ ଶୁଣିବାକୁ ଶ୍ରୋତାଙ୍କ ଭିଡ଼ ଜମିଯାଏ। ସେ ପ୍ରଥମେ ଯାତ୍ରା ଜଗତରେ ଚର୍ଚ୍ଚିତ ଗୀତିକାର ଥିଲେ। କିନ୍ତୁ ସ୍ବାବଲମ୍ବୀ ହେବାକୁ ନିଜେ ଏକ ମେଲୋଡି ଟ୍ରୁପ ସଙ୍ଗୀତ ସମ୍ରାଟ କରି ଜୀବିକା ନିର୍ବାହ କରୁଥିଲେ। ଏକା ସିଏ ନୁହେଁ ତାଙ୍କ ପାଇଁ ଟ୍ରୁପରେ ସାମିଲ ଥିବା ୩୦ରୁ ଅଧିକ ପରିବାର ନିର୍ଭର କରୁଥିଲେ। ହେଲେ ମହାମାରୀ କରୋନା ତାଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି। ହେଲେ ସେ ଆତ୍ମବିଶ୍ୱାସ ହରାଇନାହାନ୍ତି। ଅଢେଇ ମାସ ଅପେକ୍ଷା କରିବା ପରେ ପରିବାର ଚଳାଇବା ପାଇଁ ମାଛ ବ୍ୟବସାୟ କରିବାକୁ ମନ ବଳାଇଲେ। କାହାକୁ ହାତ ପାତିବା ଅପେକ୍ଷା ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟରେ ଏହି ମାଛ ବ୍ୟବସାୟ କରୁଛନ୍ତି। ସକାଳୁ ସକାଳୁ ଭଦ୍ରକ ସହରାଞ୍ଚଳ ବନ୍ତ ଛକରେ ଦୁଇଟି ଛତା ତଳେ ମାଛ ଦୋକାନ ଖୋଲନ୍ତି କୁମାର ଗୌତମ। ସମସ୍ତେ ମାଛ କିଣନ୍ତି ସତ, ହେଲେ ମାଛ ବିକୁଥିବା ଲୋକକୁ ଦେଖି ଗ୍ରାହକ ଚକିତ ହୋଇପଡ଼ନ୍ତି। ତାଙ୍କର ଏପରି ଆତ୍ମନିର୍ଭରଶୀଳ ପନ୍ଥାକୁ ଲୋକେ ପ୍ରଶଂସା କରିବା ସହ ସରକାରୀ ସହାୟତା ମିଳିବା ଦରକାର ବୋଲି କୁହନ୍ତି। ଲକ୍‌ ଡାଉନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ଏଭଳି କଳାକାରଙ୍କ ପାଇଁ କୌଣସି ଯୋଜନା ନ ଥିବାରୁ ବଞ୍ଚତ୍ବା ପାଇଁ ଏହା ଏକ ମାଧ୍ୟମ ବୋଲି କୁହନ୍ତି କୁମାର ଗୌତମ।