‘କରୋନା’ ବଢ଼ାଇଛି ଟମାଟୋ ଚାଷୀଙ୍କ ଦୁଃଖ

ପାଟଣା,୨୭।୩(ସ୍ବ.ପ୍ର.)-ମହାମାରୀ କରୋନା ଭୂତାଣୁ ସଂକ୍ରମଣରେ ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ ଭାରତ ବି ଏଥିରୁ ବାଦ ପଡିନି। ସରକାର ଲକ୍‌ଡାଉନ କରି ଏଥିରେ ଅଙ୍କୁଶ ଲଗାବାକୁ ଚେଷ୍ଟା କରୁଥିବାବେଳେ ଏହା ଦେଶର ଅର୍ଥନୀତି ସହ ସବୁ ବର୍ଗର ଲୋକଙ୍କୁ ପ୍ରଭାବିତ କରିଛି। ଶ୍ରମିକ ଓ ଚାଷୀ ଭଳି ଅନ୍ନଦାତାଙ୍କ ଦୁଃଖ ବଢିଛି। ଲକ ଡାଉନ ଫଳରେ ଲୋକେ ନିଜକୁ ଘର କୋଣରେ ସୀମିତ ରଖୁଛନ୍ତି। ଫଳରେ ପରିବା ଚାଷୀଙ୍କ ଦୁଃଖ ବଢିଯାଇଛି। ସେମାନେ ଚାଷ କରି ପରିବାର ରକ୍ଷଣାବେକ୍ଷଣ କରିପାରୁ ନ ଥିବାବେଳେ ଫସଲ ଗୁଡ଼ିକ ବିକ୍ରି ମଧ୍ୟ ହୋଇପାରୁ ନାହିଁ। ଏଥିଲାଗି ପରିବା ଚାଷୀ ଚିନ୍ତିତ ଅଛନ୍ତି।
କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସାଧୁପଡା ମୌଜାର ୩ଏକରରୁ ଊର୍ଦ୍ଧ୍ୱ ପରିମିତ ଜମିରେ ଶିମୁଳି ନାଳରୁ ପାଣି ଉଠାଇ ୪ଜଣ ବ୍ୟକ୍ତି ଟମାଟୋ, ରୁମା, ବିନ, ଜହ୍ନି କଲରା, କାକୁଡି ଓ ବୋଇତାଳୁ ଚାଷ କରିଛନ୍ତି। ଉକ୍ତ ଚାଷୀ ମାନେ ହେଉଛନ୍ତି ସାଧୁପଡା ଗ୍ରାମର ଭରତ ଚନ୍ଦ୍ର ମହାନ୍ତ, ତାରା ମଣୀ ମହାନ୍ତ, ଜଗନ୍ନାଥ ମହାନ୍ତ, କ୍ଷେତ୍ରବାସୀ ମହାନ୍ତ ଓ ସୁରେଶ ମହାନ୍ତ। ତେବେ କରୋନା ସଂକ୍ରମଣକୁ ମୁକାବିଲା କରିବା ପାଇଁ ସରକାର ଲକ ଡାଉନ କରିବା ଫଳରେ ବଗିଚାର ଗଛରେ ଟମାଟୋ ପାଚି ପଚି ଯାଉଛି ତ ଅନ୍ୟପରିବା ଗୁଡିକ ବୁଢା ହୋଇ ଯାଉଛି। ଫଳରେ ଚାଷୀଙ୍କର ଦୁଃଖ ବଢ଼ିବାରେ ଲାଗିଛି। ଏନେଇ ଟମାଟୋ ଚାଷୀ ଭରତ ଚନ୍ଦ୍ର ମହାନ୍ତଙ୍କୁ ପଚାରିବାରୁ କରୋନା ଭୟରେ ଲୋକେ ବଜାରକୁ ଆସୁନାହାନ୍ତି। ଗାଁ କୁ ଗାଁ ପଶି ପରିବା ବିକ୍ରି ପାଇଁ ଗଲାବେଳକୁ ସବୁ ଗାଁ ମୁଣ୍ଡରେ ଗ୍ରାମବାସୀ ବାଉଁଶ ବାନ୍ଧି ଗାଁକୁ ଲକ ଡାଉନ କରିଛନ୍ତି। ୫ଟଙ୍କା କେଜିରେ ବିଲାତି ଯାଚିଲେ ବି ଲୋକେ ନେଉ ନାହାନ୍ତି। ଗାଡି ଚାଲୁ ନଥିବାରୁ କେନ୍ଦୁଝର କିମ୍ବା କରଞ୍ଜିଆ ବଜାରକୁ ପରିବା ନେଇ ହେଉ ନାହିଁ ବୋଲି କହିଛନ୍ତି।