‘କରୋନା ପ୍ୟାକେଜ୍‌ ନିଷ୍ଠୁର ପରିହାସ’

ନୂଆଦିଲ୍ଲୀ,୨୩ା୫(ପି.ଟି.): ଦେଶରେ କୋଭିଡ୍‌-୧୯ ସ୍ଥିତିକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶୁକ୍ରବାର କେନ୍ଦ୍ର ସରକାରଙ୍କ ଉପରେ ଜୋର୍‌ଦାର ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ୨୦ ଲକ୍ଷ କୋଟିର ପ୍ୟାକେଜ ଘୋଷଣା ଓ ଅର୍ଥମନ୍ତ୍ରୀ ୫ ଦିନ ଧରି ଏହାକୁ ଗଣମାଧ୍ୟମ ଆଗରେ ଉପସ୍ଥାପନ କରିବା ଦେଶ ପ୍ରତି ନିଷ୍ଠୁର ପରିହାସ ବୋଲି ସୋନିଆ କହିଛନ୍ତି। ଭିଡିଓ କନ୍‌ଫରେନ୍ସ ଜରିଆରେ ୨୨ ବିରୋଧୀ ଦଳର ବୈଠକକୁ ସମ୍ବୋଧିତ କରି କଂଗ୍ରେସ ନେତ୍ରୀ କହିଥିଲେ, କେନ୍ଦ୍ର ସରକାର ସଂଘୀୟବାଦର ନୀତିକୁ ସମ୍ପୂର୍ଣ୍ଣ ଭୁଲିଯାଇଛନ୍ତି। କରୋନା ମହାମାରୀ ଜନିତ ସ୍ଥିତି ସମ୍ପର୍କରେ ଆଲୋଚନା ଲାଗି ଏହି ବୈଠକ ଡକାଯାଇଥିଲା। ସରକାର ଦେଶବ୍ୟାପୀ ଲକ୍‌ଡାଉନ କରିଥିବାବେଳେ କିପରି ଏଥିରୁ ବାହାରିବେ ବାଟ ପାଉନାହାନ୍ତି। ପ୍ରବାସୀ ଶ୍ରମିକ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ୧୩ କୋଟି ପରିବାରଙ୍କ ସମସ୍ୟାକୁ ସରକାର ଅତି ନିଷ୍ଠୁର ଭାବେ ଅଣଦେଖା କରିଚାଲିଛନ୍ତି। ସେମାନଙ୍କ ପାଇଁ କୌଣସି ଆର୍ଥିକ ସହାୟତା ଘୋଷଣା କରାଯାଇ ନାହିଁ। କରୋନା ସ୍ଥିତି ସମ୍ପର୍କରେ ଆଲୋଚନା ଲାଗି ପାର୍ଲାମେଣ୍ଟ କିମ୍ବା ଷ୍ଟାଣ୍ଡିଂ କମିଟିର ବୈଠକ ଡକାଯାଉ ନାହିଁ। ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସରକାର ସମ୍ପୂର୍ଣ୍ଣ ଭୁଲିଯାଇଥିବାବେଳେ ସମସ୍ତ କ୍ଷମତା କେବଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସୀମିତ ରହିଥିବା ସୋନିଆ କହିଛନ୍ତି। ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ବିକ୍ରି ଲାଗି ମଞ୍ଜୁରୀ ପ୍ରଦାନ, ଶ୍ରମ ଆଇନକୁ ରଦ୍ଦ କରିବା ଏବଂ ତଥାକଥିତ ସଂସ୍କାର ସରକାରଙ୍କ ଉଗ୍ର ଦୁଃସାହସିକତା ଓ ଏକପାଖିଆ ନିଷ୍ପତ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷା କହିଛନ୍ତି।
ଭିଡିଓ କନ୍‌ଫରେନ୍ସରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଏନ୍‌ସିପି ସୁପ୍ରିମୋ ଶରଦ ପାଓ୍ବାର, ଡିଏମ୍‌କେ ନେତା ଏମ୍‌.କେ. ଷ୍ଟାଲିନ୍‌, ଜେଡିଏସ୍‌ ନେତା ଏଚ୍‌.ଡି. ଦେବେଗୌଡା, ସିପିଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ସିପିଆଇ ନେତା ଡି. ରାଜା, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏ.କେ. ଆଣ୍ଟୋନି, ଅହମଦ ପଟେଲ, ଗୁଲାମ ନବୀ ଆଜାଦ, ଅଧୀର ରଞ୍ଜନ ଚୌଧୁରୀ, ମଲ୍ଲିକାର୍ଜୁନ ଖାର୍ଗେ ପ୍ରମୁଖ ଯୋଗ ଦେଇଥିଲେ। ଆଞ୍ଚଳିକ ଦଳ ନେତାଙ୍କ ମଧ୍ୟରେ ଏଲ୍‌ଜେଡିର ଶରଦ ଯାଦବ, ନ୍ୟାଶନାଲ କନ୍‌ଫରେନ୍ସର ଓମାର ଅବଦୁଲ୍ଲା, ଆର୍‌ଜେଡିର ତେଜସ୍ବୀ ଯାଦବ, ଏଚ୍‌ଏଏମ୍‌ର ଜିତନ୍‌ ରାମ ମାନ୍‌ଝି, ଆର୍‌ଏଲ୍‌ଏସ୍‌ପିର ଉପେନ୍ଦ୍ର କୁଶଓ୍ବାହା ପ୍ରମୁଖ ଉପସ୍ଥିତ ଥିଲେ।

Share