କରୋନା ପ୍ରଭାବ: ମା’ ତାରାତାରିଣୀ ପୀଠ ଖାଁ ଖାଁ

ପୁରୁଷୋତ୍ତମପୁର, ୧୭।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଦ୍ୱିତୀୟ ପାଳି ଯାତ୍ରା ଜନଶୂନ୍ୟ ହୋଇପଡିଛି। କରୋନା ଭାଇରସକୁ ନେଇ ମନ୍ଦିର ଖାଁ ଖାଁ ହୋଇପଡିଛି। ମା’ ତାରାତାରିଣୀ ଦୁଇ ଭଉଣୀ ମହାଲକ୍ଷ୍ମୀ ବେଶରେ ସଜ୍ଜିତ ହୋଇଛନ୍ତି। ମାତ୍ର ପ୍ରଶାସନର ଅଙ୍କୁଶ ଯୋଗୁ ଭକ୍ତମାନେ ମା’ଙ୍କ ଦର୍ଶନ କରିପାରି ନାହାନ୍ତି। ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡ୍ଡୀଙ୍କ ତତ୍ତ୍ୱାବଧାନରେ ସେବାୟତ ବାପୁଜୀ ରଣାଙ୍କ ସମେତ ଅନ୍ୟ ସେବାୟତମାନେ ରାତ୍ର ୩ଟାରୁ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ମଙ୍ଗଳ ଆଳତି, ଅବକାଶ ବେଶ, ମଇଲମ ଲାଗି, ତଡପ ଲାଗି, ମାଜଣା, ଅଭିଷେକ, ଶ୍ରୀଅଙ୍ଗ ପୋଛା, ସିଙ୍ଗାର, ଚନ୍ଦନ ଲାଗି, ମହାଆଳତି ହୋଇ ଦୁଇ ଭଉଣୀଙ୍କୁ ମହାଲକ୍ଷ୍ମୀ ବେଶରେ ସଜ୍ଜିତ କରାଯାଇ ସକାଳ ୬.୩୦ରେ ସାହାଣମେଲା ହୋଇଥିଲା। ଦୂରଦୂରାନ୍ତରୁ ମାନସିକଧାରୀମାନେ ନିଜ ନିଜର ଛୋଟ ଛୋଟ ଶିଶୁଙ୍କୁ ମୁଣ୍ଡନ ଲାଗି ଆସିଥିଲେ, ମାତ୍ର ପୋଲିସ ପକ୍ଷରୁ ବିଭିନ୍ନ ପ୍ରବେଶ ପଥକୁ ସିଲ କରି ଦିଆଯାଇଥିବା ବେଳେ ଭକ୍ତଙ୍କୁ ଛଡାଯାଇ ନ ଥିଲା। ଫଳରେ ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ଲୁଚା ଛପାରେ ତୋଟା ମୂଳରେ, ନଦୀ ତଟରେ ନିଜ ନିଜର ଶିଶୁଙ୍କୁ ମୁଣ୍ଡନ କରାଇଥିଲେ। ଏହାକୁ ନେଇ ପ୍ରଶାସନ ବିଭିନ୍ନ ସ୍ଥାନରେ ଖାନ୍‌ତଲାସ କରିଛି । ଅତିରିକ୍ତ ଏସ୍‌ପି ଠାକୁର ପ୍ରସାଦ ପାତ୍ର, ପୁରୁଷୋତ୍ତମପୁର ଏସଡିପିଓ ସୀମା ସ୍ବାଇଁ, ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।