କରୋନା ପ୍ରଭାବ: ଗଞ୍ଜାମରେ ଖାଉଟି ସାମଗ୍ରୀ କଳାବଜାର ଅଭିଯୋଗ

ଗଞ୍ଜାମ,୨୫।୩(ଡି.ଏନ୍‌.ଏ.): କରୋନା ପାଇଁ ସବୁଠି ହାହାକାର। ଭୟରେ ଲୋକେ ଘରୁ ବାହାରୁ ନାହାନ୍ତି। ଏଥିପାଇଁ ସରକାର ଓ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି। ସହରର ବିଭିନ୍ନ ଦୋକାନ ବଜାର ବନ୍ଦ ରହିଛି। କେବଳ ଖାଉଟି ତଥା ରାଶନ, ପରିବା, ମାଛ ମାଂସ ଦୋକାନ ଖୋଲାରହିଛି। କିନ୍ତୁ ସରକାର ପୁଣି ୨୧ ଦିନ ଲକ୍‌ଡାଉନ ଘୋଷଣା କରିବା ପରେ କିଛି ଅସାଧୁ ବ୍ୟବସାୟୀ ଖାଉଟି ସାମଗ୍ରୀର ମୂଲ୍ୟ ରାତାରାତି ବଢ଼ାଇ ଦେଇଥିବା ଜଣାପଡ଼ିଛି । ଆଳୁ କିଲୋ ୨୦ରୁ ୨୨ ଓ ବସ୍ତା ପିଛା ୯୫୦ରୁ ୧୦୫୦ରେ ବିକ୍ରି କରାଯାଉଛି। ଏଥିସହ ଅତ୍ୟାବଶ୍ୟକ ସାମଗ୍ରୀ ତଥା ଖାଇବା ତେଲ ଲିଟର ପିଛା ୫ରୁ ୮ ଟଙ୍କା ବଢ଼ିଥିବା ଲୋକେ ଅଭିଯୋଗ କରୁଛନ୍ତି। ତେଣୁ ପ୍ରଶାସନ ଏ ଦିଗ ପ୍ରତି ଦୃଷ୍ଟି ଦେବା ପାଇଁ ଜନସାଧାରଣ ଦାବି କରିଛନ୍ତି। ଏ ନେଇ ବିଡିଓ ଜ୍ୟୋତିଶଙ୍କର ରାୟ କୁହନ୍ତି, ଅଭିଯୋଗ ପାଇଛି ଓ ଛତ୍ରପୁର ଉପଜିଲାପାଳଙ୍କୁ ଅବଗତ କରାଯାଇଛି। ଖୁବ୍‌ଶୀଘ୍ର ଉକ୍ତ ଦୋକାନ ଉପରେ ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।