Categories: ଜାତୀୟ

କରୋନା ପ୍ରକୋପ: ଭାରତରେ ଗଡିଲା ୫ମୁଣ୍ଡ

ଜୟପୁର,୨୦।୩: ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଭାରତରେ ମହାମାରୀ କରୋନା ଭାଇରସ୍‌ କାୟା ବିସ୍ତାର କରିବାରେ ଲାଗିଛି। ଶୁକ୍ରବାର ଭାରତରେ କରୋନା ଆଉ ଏକ ମୁଣ୍ଡ ଗଡାଇଛି। ଏହାକୁ ମିଶାଇ ଭାରତରେ ମୃତ୍ୟୁସଂଖ୍ୟା ୫କୁ ପହଞ୍ଚିଛି। ରାଜସ୍ଥାନ ଜୟପୁରରେ ଜଣେ ଇଟାଲି ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଉକ୍ତ ଇଟାଲିର ନାଗରିକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ତାଙ୍କୁ ଜୟପୁରର ସବାଇ ମାନସିଂହ ହସ୍ପିଟାଲର ଆଇସୋଲେଶନ୍‌ ଓ୍ବାର୍ଡରେ ରଖାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ରାଜସ୍ଥାନରେ କରୋନା ଭାଇରସ୍‌ ସଂକ୍ରମିତରେ ଏହା ପ୍ରଥମ ମୃତ୍ୟୁ ଘଟଣା। ସୂଚନା ମୁତାବକ ଭାରତରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତ ସଂଖ୍ୟା ୧୯୫ରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ଏଥିରେ ୩୨ ବିଦେଶୀ ନାଗରିକ ମଧ୍ୟ ରହିଛନ୍ତି। ଅପରପକ୍ଷେ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜନତା କର୍ଫ୍ୟୁ ପାଇଁ ଆହ୍ବାନ କରିଛନ୍ତି। ଏଥିସହ ଆବଶ୍ୟକତା ନ ଥିଲେ ଘରୁ ନ ବାହାରିବାକୁ ବାରଣ କରିବା ସହ ଘରେ ବସି କାର୍ଯ୍ୟକରିବାକୁ ସେ ପରାମର୍ଶ ଦେଇଛନ୍ତି।

Share