କରୋନା ପାଇଁ ରାଜଧାନୀ ହାଟ ଉପରେ କଟକଣା: ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଖୋଲିବ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଭିଡ଼ରୁ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ରାଜଧାନୀରେ ଚାଲୁଥିବା ସମସ୍ତ ହାଟ ପାଇଁ ବୁଧବାର କଟକଣା ଲଗାଯାଇଛି। ବିଶେଷକରି ସନ୍ଧ୍ୟା ସମୟରେ ହାଟରେ ଭିଡ଼ ପରିଲକ୍ଷିତ ହେଉଥିବାରୁ କଟକଣା ଲଗାଯାଇଛି। ତେବେ ଏହାନୁଯାୟୀ ହାଟଗୁଡ଼ିକ ସକାଳ ୬ରୁ ଖୋଲାଯାଇ ସନ୍ଧ୍ୟା ୬ରେ ବନ୍ଦ ହେବ। ୟୁନିଟ-୧ , ୟୁନିଟ-୨, ସହିଦ ନଗର ହାଟ, ରୁଚିକା ଡେଲି ମାର୍କେଟ, ଇନ୍ଦ୍ରଧନୁ ଡେଲି ମାର୍କେଟ, ଓଲ୍‌ଡ ଟାଉନ ଡେଲି ମାର୍କେଟ, ଡମଣା ହାଟ ଆଦି ଉପରେ ଏହି କଟକଣା ହୋଇଛି। ମାର୍ଚ୍ଚ ୩୧ ଯାଏ ଏହା ଜାରି ରହିବ। ଆବଶ୍ୟକସ୍ଥଳେ ଅନ୍ୟ ହାଟଗୁଡ଼ିକର ସ୍ଥିତି ଜଣାଇବାକୁ ଜୋନାଲ ଡିସିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।