କରୋନା ପାଇଁ ବୃତ୍ତି ବଦଳାଇଲେ ବ୍ୟବସାୟୀ: ଶସ୍ତାରେ ଯୋଗାଉଛନ୍ତି ପନିପରିବା

ଦାରିଙ୍ଗବାଡ଼ି,୮।୪(ଡି.ଏନ.ଏ)- ଲକ୍‌ଡାଉନ କଟକଣା ପରେ ଜନସାଧାରଣ ପ୍ରଭାବିତ ହୋଇଛନ୍ତି। କେବଳ ଜନସାଧାରଣ ନୁହଁନ୍ତି ବ୍ୟବସାୟୀମାନେ ମଧ୍ୟ ବୃତ୍ତି ପରିବର୍ତ୍ତନ କରୁଥିବା ଦେଖିବାକୁ ମିଳୁଛି। ପୋଷାକ, ହୋଟେଲ, ହାର୍ଡଓ୍ବେର ଷ୍ଟୋର କରିଥିବା ବଡ ବ୍ୟବସାୟୀ ଘରେ ରହିବା ବଦଳରେ ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏପରି ଜଣେ ଯୁବ ବ୍ୟବସାୟୀ ହେଲେ ଦାରିଙ୍ଗବାଡିର ବାପି ପାଢ଼ୀ। ତାଙ୍କର ବଜାରରେ ଏକ ବଡ ପୋଷାକ ଶୋରୁମ୍‌ ରହିଛି। ଲକ୍‌ଡାଉନ୍‌ ପରେ ଚଳିବାରେ କୌଣସି ଅସୁବିଧା ନ ଥିଲେ ମଧ୍ୟ ସେ ଜନସାଧାରଣଙ୍କୁ ସହଯୋଗ କରିବାକୁ ନିଜ ଶୋରୁମ୍‌ ବାରଣ୍ଡାରେ ପନିପରିବା ବିକ୍ରି କରୁଛନ୍ତି।
ଏନେଇ ବାପି କହିଛନ୍ତି ଯେ, ମାର୍କେଟ ବନ୍ଦ ଯୋଗୁ ସୋରଡ଼ା ସମେତ ବିଭିନ୍ନ ସ୍ଥାନରୁ ପନିପରିବା ବ୍ୟବସାୟୀ ଦାରିଙ୍ଗବାଡ଼ିରେ ପହଞ୍ଚତ୍ ଉଚ୍ଚ ଦରରେ ବିକ୍ରି କରୁଛନ୍ତି। ଏହି ଘଟଣା ନଜରକୁ ଆସିବାପରେ ସେ ତାଙ୍କ କାର୍‌ରେ ପ୍ରତିଦିନ ଭୋରରୁ ଗଞ୍ଜାମ ଜିଲାର ବିଭିନ୍ନ ଗଁାକୁ ଯାଇ ପନିପରିବା ଯୋଗାଡ଼ କରି ୩/୪ କୁଇଣ୍ଟାଲ ପରିବା ଆଣି ଏଠାରେ ଅଳ୍ପ ଦରରେ ବିକ୍ରି କରୁଛନ୍ତି। ଫଳରେ ସମ୍ପୃକ୍ତ ବେପାରୀଙ୍କ ଅସାଧୁ ମନୋବୃତ୍ତି ଓ କଳାବଜାର ପଦାରେ ପଡିବା ସହ ଅଞ୍ଚଳବାସୀ କମ୍‌ ଦରରେ ପନିପରିବା ପାଉଛନ୍ତି। ବାଇଗଣ ୨୦ ଓ ପୋଟର ୭୦ ଟଙ୍କାରେ ପୂର୍ବରୁ ବିକ୍ରି ହେଉଥିବାବେଳେ ସେ ଆଣି ୧୦ ଓ ୫୦ ଟଙ୍କାରେ ବିକୁଛନ୍ତି।