କରୋନା ପାଇଁ ଅନ୍‌ ଲାଇନ୍‌ରେ ପାଠ ପଢାକୁ ଗୁରୁତ୍ୱ

ଜୁନାଗଡ,୧୪।୪(ଡି.ଏନ୍‌.ଏ): କରୋନା ମୁକାବିଲା ପାଇଁ ଜାରି କରାଯାଇଥିବା କଟକଣା ଯୋଗୁ ଓଡିଶାର ସମସ୍ତ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି। ଯାହା ଶିକ୍ଷାଦାନ ଉପରେ ଗୁରୁତର ପ୍ରଭାବ ପକାଇଛି। ଘରେ ବସି ପିଲା ବହି ଖୋଲିବା ସାର ହେଉଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ଦେଶରେ ମେ ୩ ପର୍ଯ୍ୟନ୍ତ ଲକଡାଉନ ଜାରି ରହିବ ବୋଲି ଘୋଷଣା କରିଛନ୍ତି। ଫଳରେ ସେତେଦିନ ଯାଏ ମଧ୍ୟ ସ୍କୁଲରେ ତାଲା ପଡିବ । ଏମିତିରେ ପିଲାଙ୍କ ଭବିଷ୍ୟତକୁ ନେଇ ଅଭିଭାବକମାନେ ଚିନ୍ତିତ ରହିଥିଲେ। ଯାହାକୁ ଦୃଷ୍ଟିରେ ରଖି ସରକାର ୧୪ ତାରିଖରୁ ପିଲାଙ୍କୁ ଅନ୍‌ଲାଇନ ପଢାଇବା ପାଇଁ ଯୋଜନା କରିଛନ୍ତି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲା ଜୁନାଗଡ ସାଇନିଂ କିଡ୍ସ ୱାଲର୍‌ଡର ଛାତ୍ରୀଛାତ୍ରଙ୍କୁ ଏବେ ଅନଲାଇନ ମାଧ୍ୟମରେ ପାଠପଢା ଆରମ୍ଭ ହୋଇଛି। ଫଳରେ ପିଲାମାନେ ଘରେ ବସି ମୋବାଇଲରେ ଜୁମ୍‌ ଆପ୍‌ ଭିଡିଓ ଜରିଆରେ ଶିକ୍ଷାଗ୍ରହଣ କରୁଛନ୍ତି। ଏହାଦ୍ୱାରା ଛାତ୍ରୀଛାତ୍ରମାନଙ୍କୁ ସ୍କୁଲ ଖୋଲିବା ପୂର୍ବରୁ ତାଙ୍କ ଶ୍ରେଣୀର ସମସ୍ତ ପାଠ ବିଷୟରେ ଜ୍ଞାନ ଆହରଣ ହୋଇପାରିବ ବୋଲି ସ୍କୁଲ ମୁଖ୍ୟ ପରିଚାଳକ ପ୍ରବୀର କୁମାର ଗୋୟଲ ପ୍ରକାଶ କରିଛନ୍ତି।