କରୋନା ପରେ ଡରାଇଲାଣି ଇବୋଲା

କିନସାସା,୨।୬: ବିଶ୍ୱରେ ଏବେ କରୋନା ସଂକ୍ରମଣ ଚିନ୍ତାର କାରଣ ପାଲଟିଥିବା ବେଳେ ଏବେ ଆଫ୍ରିକାବାସୀଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସାଜିଲାଣି ଇବୋଲା ଭାଇରସ। ଆଫ୍ରିକାରେ ଏବେସୁଦ୍ଧା ଦେଢ ଲକ୍ଷରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୬ହଜାର ଲୋକଙ୍କର ଏଥିରେ ମୃତ୍ୟୁ ହେଲାଣି। ଖାଦ୍ୟାଭାବ, ଲୋକଷ୍ଟ ପ୍ଲେଗ ଓ କରୋନା ଭଳି ମହାମାରୀର ସାମ୍ନା କରିଥିବା ଆଫ୍ରିକା ଏବେ ଇବୋଲା କବଳରେ। ଏଠାରେ ଇବୋଲା ପୁଣିଥରେ ଫେରିଛି ବୋଲି ଜଣାପଡିଛି। ଡେମୋକ୍ରେଟିକ ରିପ୍ଲିକ ଅଫ୍‌ କଙ୍ଗୋ(ଡିଆର୍‌ସି)ରେ ଇବୋଲା ଭାଇରସ ସଂକ୍ରମଣ ହୋଇଥିବା ଜଣାପଡିଛି। ନିକଟରେ ଏହି ଦେଶରୁ ଇବୋଲା ସଂକ୍ରମଣ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ହେଲେ ପୂର୍ବରୁ ଯେଉଁଠି ଏହି ଭୂତାଣୁ ସଂକ୍ରମିତ ହୋଇଥିଲା ଏହାଠାରୁ ପ୍ରାୟ ୧ହଜାର କିଲୋମିଟର ଦୂରରେ ଏଥର ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା କୁହାଯାଇଛି। କଙ୍ଗୋର ସ୍ବାସ୍ଥ୍ୟମନ୍ତ୍ରୀ ଇଟିନି ଲୌଙ୍ଗେଡା କହିଛନ୍ତି ଉତ୍ତରପୂର୍ବ ରାଜ୍ୟ ମ୍ବାନଡାକାରେ ଇବୋଲା ସଂକ୍ରମଣରେ ଏବେସୁଦ୍ଧା ୪ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ତେବେ ପ୍ରଭାବିତ ଅଞ୍ଚଳକୁ ଔଷଧ ଓ ଡାକ୍ତରୀ ଦଳ ପଠାଯାଇଥିବା ସେ କହିଛନ୍ତି। ଡେମୋକ୍ରେଟିକ ରିପ୍ଲିକ ଅଫ୍‌ କଙ୍ଗୋ ଆଗକୁ ଇବୋଲା ମହାମାରୀର ଶେଷ ହୋଇଛି ବୋଲି ଘୋଷଣା କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏବେ ପୁଣି ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ଚିନ୍ତାର କାରଣ ପାଲଟିଛି। ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ଖବର ଅନୁଯାୟୀ, କଙ୍ଗୋର ଦକ୍ଷିଣରେ ଥିବା ସହର ଗୁଡିକରେ ଇବୋଲା ଭାଇରସ ସଂକ୍ରମଣର ନୂଆ ମାମଲା ସାମ୍ନାକୁ ଆସୁଛି। ପୂର୍ବରୁ ଉତ୍ତର କଙ୍ଗୋରେ ଇବୋଲା ସଂକ୍ରମଣ ଦେଖାଯାଉଥିବା ବେଳେ ଏବେ ଏହା ଏତେଦୂର କିପରି ବ୍ୟାପିଲା ତାହା ଉପେର ଗବେଷଣା ଆରମ୍ଭ କରାଯାଇଛି। ସୂଚନାଯୋଗ୍ୟ, କଙ୍ଗୋରେ ଏବେ କରୋନା ସଂକ୍ରମଣ ପାଇଁ ଲକ୍‌ଡାଉନ ଚାଲିଥିବା ବେଳେ ସେଠାରେ ୩୦୦୦ରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ଓ ୭୧ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି।

Share