କରୋନା ପରେ ଓଡ଼ିଶାକୁ ବାତ୍ୟା ଭୟ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ସମଗ୍ର ଦେଶ କରୋନା ଭାଇରସ୍‌ ସଂକ୍ରମଣ ମହାସଙ୍କଟ ଦେଇ ଗତି କରୁଛି। ଦିନକୁ ଦିନ ଦେଶ ଓ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଓଡ଼ିଶାରେ ଏପର୍ଯ୍ୟନ୍ତ ୯୪ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିସାରିଛି। ଏହାରି ଭିତରେ ଆସୁଥିବା ଆଉ ଏକ ବାତ୍ୟା ଓଡ଼ିଶା ପାଇଁ ଭୟ ସୃଷ୍ଟି କରିଛି। ସୂଚନା ମୁତାବକ ମେ’ ୩ରେ ଓଡିଶା ପୁଣି ଆଉ ଏକ ବାତ୍ୟାର ସମ୍ମୁଖୀନ ହେବାକୁ ଯାଉଛି ବୋଲି ଆଶଙ୍କା କରାଯାଉଛି। ତେବେ ଏହା ଓଡ଼ିଶା ଆସିବ କି ନାହିଁ ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ହେଇନାହିଁ। ଆଣ୍ଡାମାନ ନିକୋବର ଦ୍ୱୀପ ଓ ଦକ୍ଷିଣପୂର୍ବ ବଙ୍ଗୋପସାଗର ସୃଷ୍ଟ ହୋଇଥିବା ଲପୁଚାପ ଆସନ୍ତା ୨୭ କିମ୍ବା ୨୮ରେ ବାତ୍ୟା ରୂପରେଖ ନେଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଚଳିତ ମାସ ୨୮ରେ ଏହା ଘୂର୍ଣ୍ଣିବଳୟର ରୂପ ନେଇ ୩୦ରେ ଲଘୁଚାପରେ ପରିଣତ ହେବ। ଧୀରେ ଧୀରେ ଏହା ଘନୀଭୂତ ହୋଇ ବାତ୍ୟା ରୂପନେବ। ମେ’୧ରେ ଲଘୁଚାପର ସମ୍ଭାବନା ରହିଛି। ତେବେ ମେ ୨ରୁ ୩ ମଧ୍ୟରେ ଏହା ମ୍ୟାନ୍‌ମାର ଅତିକ୍ରମ କରିପାରେ। ପରେ ଏହା ଉପକୂଳ ମୁହାଁ ହୋଇ ଡିପ୍ରେସନର ରୂପ ନେବା ସହ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇପାରେ। ମେ ୪ରୁ ୫ ତାରିଖ ମଧ୍ୟରେ ଏହା ସ୍ଥଳପଥ ଛୁଇଁବାର ପୂର୍ବାନୁମାନ କରିଛି ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟ୍ରପିକାଲ ମେଟ୍ରୋଲୋଜି(ଆଇଆଇଟିଏମ)ଏବଂ ଆମେରିକା ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ(ଜିଏଫଏସ)। ଏବେ ଉପକୂଳବର୍ତ୍ତୀ ଓ ମଧ୍ୟମ ଧରଣର ବୃଷ୍ଟିପାତ ଅନୁଭୂତ ହେଉଥିବା ବେଳେ ଆସନ୍ତା ୫ ଦିନ ଯାଏଁ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ରହିଛି।