କରୋନା ନେଇ ଜରୁରୀ ବୈଠକ: କାର୍ଯ୍ୟରେ ଅବହେଳା ନେଇ ଏଏନ୍‌ଏମ୍‌ଙ୍କୁ ନିଲମ୍ବନ କଲେ ଜିଲାପାଳ

ଭବାନୀପାଟଣା,୨୧।୩(ଡି.ଏନ୍‌.ଏ.): ସାରା ବିଶ୍ୱରେ କରୋନା ଆତଙ୍କ ଖେଳାଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଭଳି ପରିସ୍ଥିତିରେ ଜରୁରୀ ବୈଠକ ହୋଇ କରୋନା ମୁକାବିଲା ଲାଗି ଆଲୋଚନା ହେଉଥିଛି। ଏଥିରେ ଅବହେଳା ପ୍ରଦର୍ଶନ କରି କଳାହାଣ୍ଡି ଜିଲା ବାଲିସରା ସବ୍‌ ସେଣ୍ଟରର ଏଏନ୍‌ଏମ୍‌ ସବିତାଙ୍କୁ ନିଲମ୍ବନ କରାଯାଇଛି। କାର୍ଯ୍ୟରେ ଅବହେଳା ନେଇ ଜିଲାପାଳ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, କରୋନା ମୁକାବିଲା ନେଇ ୨୦ ତାରିଖରେ ସ୍ଥାନୀୟ ପଞ୍ଚାୟତ ସମିତିର ଏକ ଜରୁରୀ ବୈଠକ ହୋଇଥିଲା। ପରେ ଜିଲାପାଳ ଡା. ଗାଭାଲି ପରାଗ ହର୍ଷଦ ଶୁକ୍ରବାର ଥୁଆମୂଳ ରାମପୁର ବ୍ଲକ ଗସ୍ତରେ ଯାଇଥିଲେ। ତାଙ୍କ ଗସ୍ତ ସମୟରେ ବାଲିସରା ସବ୍‌ ସେଣ୍ଟରର ଏଏନ୍‌ଏମ୍‌ ସବିତା ହେଡ୍‌କ୍ୱାର୍ଟରରେ ଅନୁପସ୍ଥିତ ଥିବାରୁ ଜିଲାପାଳ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି।