କରୋନା ଡର: ବ୍ରାହ୍ମଣୀପାଳ ବଜାରରେ ବିଦେଶୀଙ୍କୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ, ପୋଲିସର ତଦନ୍ତ ଜାରି

କେନ୍ଦୁଝର,୭।୩(ସ୍ବ.ପ୍ର.): ଦୈତାରୀ ଥାନା ଅନ୍ତର୍ଗତ ଓ ହରିଚନ୍ଦନପୁର ବ୍ଲକ ବ୍ରାହ୍ମଣୀପାଳ ବଜାରରେ ଶନିବାର ସକାଳେ ଜଣେ ବିଦେଶୀ ଚା’ ପିଉଥିବାର ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ। କରୋନା ଭାଇରସ୍‌କୁ ନେଇ ସମସ୍ତ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଏହି ବିଦେଶୀଙ୍କୁ ଦେଖି ଲୋକମାନଙ୍କ ମଧ୍ୟରେ କରୋନା ଭାଇରସ୍‌ ଭୟ ଆତଙ୍କ ଖେଳିଯାଇଥିଲା। ଫଳରେ ସେଠାକାର ଲୋକେ ଦୈତାରୀ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଦେଶୀଙ୍କୁ ଥାନାକୁ ନେଇ ଅଟକ ରଖିବା ସହ ପଚରାଉଚରା ଜାରି ରଖିଛି । ଏଥିସହ ଉକ୍ତ ବିଦେଶୀଙ୍କ ଭିଜାର ଅବଧି ହାତଲେଖା ହୋଇଥିବାରୁ ଲୋକମାନଙ୍କ ମନରେ ବିଭିନ୍ନ ସନ୍ଦେହ ସୃଷ୍ଟି ହୋଇଛି। ବିଦେଶୀଙ୍କଠାରୁ ଅଧିକ ତଥ୍ୟ ପାଇଁ ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।