କରୋନା ଗୁଜବ ପ୍ରଚାରକରି ଜେଲ ଗଲେ ଯୁବକ

ତାଳଚେର,୧୮।୩(ନି.ପ୍ର.): କରୋନା ସମ୍ପର୍କରେ ମିଛ ଖବର ପ୍ରଚାରକରି ସାଧାରଣରେ ଆତଙ୍କ ସୃଷ୍ଟି କରୁଥିବା ଜଣେ ଯୁବକଙ୍କୁ ତାଳଚେର କଲିୟାରୀ ପୋଲିସ ମଙ୍ଗଳବାର ରାତିରେ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଜୟକୃଷ୍ଣ ସାହୁ ଓରଫ୍‌ ରିଙ୍କୁ। ତାଙ୍କ ଘର ତାଳଚେର ବ୍ଲକ ବଡ଼ସିଙ୍ଗଡ଼ା ଗ୍ରାମରେ ବୋଲି ଜଣାପଡ଼ିଛି।
ପ୍ରକାଶ ଯେ, ରିଙ୍କୁ ମଙ୍ଗଳବାର ରାତିରେ ବଲଣ୍ଡା ଅଞ୍ଚଳରେ ଘୁରି ବୁଲିବା ସହ ଅନୁଗୋଳ ଜିଲା ନୂଆହତା ଗ୍ରାମର ଜଣେ ଯୁବକ କରୋନାରେ ଆକ୍ରାନ୍ତ ହୋଇ ନୂଆଦିଲ୍ଲୀର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିବା ପ୍ରଚାର କରୁଥିଲେ। ଏହାକୁ ସେ ନିଜ ଫେସ୍‌ବୁକ ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରିଥିଲେ। ଖବର ପାଇ କଳିୟାରୀ ପୋଲିସ ତଦନ୍ତ ପରେ ଘଟଣାର କୌଣସି ସତ୍ୟତା ନ ଥିବାରୁ ରିଙ୍କୁଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।