କରୋନା କଟକଣା: ଗାଁ ମୁଣ୍ଡରେ ଲକ୍ଷ୍ମଣରେଖା ଟାଣିଲେ ଗ୍ରାମବାସୀ

ବଲାଙ୍ଗୀର ଅଫିସ,୩୦।୩: ବଲାଙ୍ଗୀର ସହର ଶୂନ୍‌ଶାନ ଥିବା ବେଳେ ଧୀରେ ଧୀରେ ଗ୍ରାମାଞ୍ଚଳର ଲୋକେ ସଚେତନ ହେବାରେ ଲାଗିଛନ୍ତି। ବାହାର ଲୋକଙ୍କୁ ଗାଁ ଭିତରକୁ ପ୍ରବେଶ ନ କରାଇ ଦେବା ପାଇଁ ଗାଁ ମୁଣ୍ଡରେ ଲକ୍ଷ୍ମଣରେଖା ଟାଣିଛନ୍ତି। ଏପରିକି ଜରୁରୀ ଥିଲେ ଗାଁ ଲୋକେ ବାହାରକୁ ଯିବେ ବୋଲି କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ଗ୍ରାମବାସୀ। ସଦର ବ୍ଲକ ଖୁଜେନପାଲି ପଞ୍ଚାୟତ ଅନ୍ତର୍ଗତ କାଲସାଏପାଲି ଓ ବାଗଭାଡ଼ୀ ଗ୍ରାମବାସୀ ଏହି ଲକ୍‌ଡାଉନ୍‌ ପଦକ୍ଷେପ ନେଇଛନ୍ତି। ବାହାର ଲୋକଙ୍କ ଗାଁକୁ ପ୍ରବେଶ କରାଇ ନ ଦେବା ପାଇଁ ବାଉଁଶରେ ଫାଟକ ତିଆରି କରିଛନ୍ତି। ଏଥିସହିତ ସାବୁନ୍‌ ତଥା ସାନିଟାଇଜର୍‌ରେ ଗ୍ରାମବାସୀ ହାତ ଧୋଉଛନ୍ତି। ଜରୁରୀ କାର୍ଯ୍ୟରେ ଯାଇଥିବା ଲୋକେ ଗ୍ରାମରେ ପଶିବା ପୂର୍ବରୁ ସାବୁନରେ ହାତଧୋଇ ପଶିବାକୁ ସଚେତନ କରାଯାଉଛି। ଏହା ଦ୍ୱାରା କରୋନା ଭୂତାଣୁ ସଂକ୍ରମଣ ରୋକାଯାଇ ପାରିବ ବୋଲି ସରପଞ୍ଚ ସତ୍ୟବାନ ସାହୁ ଓ ସାମାଜିକ କର୍ମୀ ବିନୋଦ କାଲସାଏ କହିଛନ୍ତି।