Categories: ଖେଳ

କରୋନା ଆତଙ୍କ: ସ୍ପେନ୍‌ରେ ଫୁଟବଲ୍‌ କୋଚଙ୍କ ମୃତ୍ୟୁ

ମାଦ୍ରିଦ,୧୭।୩: କରୋନା ଭାଇରସ୍‌ ପ୍ରକୋପରୁ କେହି ବର୍ତ୍ତି ପାରିନାହାଁନ୍ତି। ସାରା ବିଶ୍ୱରେ କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ରୋକିବା ପାଇଁ ପୂର୍ବରୁ କେତେକ ମ୍ୟାଚ୍‌ ବାତିଲ କରାଯାଇଥିବା ବେଳେ ଷ୍ଟାଡିୟମ୍‌ ଭିତରକୁ ଦର୍ଶକଙ୍କୁ ଯିବା ପାଇଁ ବାରଣ କରାଯାଇଛି। ଏହାରି ଭିତରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଥିରେ ସଂକ୍ରମିତ ହୋଇ ସ୍ପେନର ୨୧ବର୍ଷୀୟ ଫୁଟବଲ୍‌ କୋଚ ଫ୍ରାନ୍ସିସ୍କୋ ଗାର୍ସିଆଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସ୍ପେନିଶ୍‌ ଲିଗ୍‌ ସେକେଣ୍ଡ ଡିଭିଜନ୍‌ର ଯୁବ ଟିମ୍‌ ଏଟ୍‌ଲେଟିକୋ ପୋର୍ଟାଡ ଅଲ୍ଟାର କୋଚ ଗାର୍ସିଆ କୋଭିଡ-୧୯ରେ ପୀଡିତ ଥିଲେ। ଗାର୍ସିଆଙ୍କ ନିକଟରେ କରୋନା ଲକ୍ଷଣ ମିଳିବା ପରେ ତାଙ୍କୁ ମଲାଗା ହସ୍ପିଟାଲର ଆଇସୋଲେଶନ୍‌ ଓ୍ବାର୍ଡରେ ରଖାଯାଇ ଚିକିତ୍ସା କରାଯାଉଥିଲା। ହସ୍ପିଟାଲ ଯିବା ପରେ ଜଣାପଡ଼ିଥିଲା ଯେ, ସେ ଲ୍ୟୁକୋମିଆରେ ପୀଡିତ ଅଛନ୍ତି। ତେବେ ଚିକିତ୍ସାଧିନ ଅବସ୍ଥାରେ ରବିବାର ତାଙ୍କର ମୃତ୍ୟୁ ହୋଇଛି। ଯୁବ କୋଚ୍‌ ଗାର୍ସିଆଙ୍କ ମୃତ୍ୟୁ ଖବରରେ ଖେଳ ଜଗତ ସ୍ବବ୍ଧ ହୋଇଯିବା ସହ ଶୋକ ପ୍ରକାଶ କରିଛି। ଏଥିସହ ଗାର୍ସିଆଙ୍କ ପରିବାରଲୋକଙ୍କୁ ସମସ୍ତେ ସମବେଦନା ଜଣାଇଛନ୍ତି। ତେବେ କରୋନାରୁ ସଂକ୍ରମିତ ହୋଇ ଜୀବନ ଯାଇଥିବାଙ୍କ ମଧ୍ୟରେ ଗାର୍ସିଆ ହେଉଛନ୍ତି ୫ମ ସବୁଠାରୁ କନିଷ୍ଠ ବ୍ୟକ୍ତି। ଏହି ସଂକ୍ରମଣରେ ସ୍ପେନ ଅଧିକ ପ୍ରଭାବିତ ହୋଇଥିବା ବେଳେ ଏଥିରେ ୩୦୦ରୋଗୀଙ୍କ ମୃତ୍ୟୁ ହୋଇସାରିଛି। ଆଉ ସଂକ୍ରମିତଙ୍କ ସଂଖ୍ୟା ୯,୦୦୦କୁ ଟପିଛି।

Share