କରୋନା ଆତଙ୍କ: ଫେରିଗଲା ଭାରତୀୟଙ୍କ ମୃତଦେହ

ନୂଆଦିଲ୍ଲୀ,୨୬।୪: ନିକଟ ଅତୀତରେ ଆବୁ ଧାବିରୁ ଭାରତ ଆସିଥିବା ୩ ମୃତଦେହ ପୁଣିଥରେ ଆବୁଧାବି ଫେରିଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୩ ପ୍ରବାସୀ ଭାରତୀୟଙ୍କ ମୃତ୍ୟୁ ପରେ ସେମାନଙ୍କ ମୃତ ଦେହକୁ ବିମାନ ଯୋଗେ ଦିଲ୍ଲୀ ପଠାଯାଇଥିଲା। ହେଲେ କରୋନା ଯୋଗୁ ଦେଶରେ ଯେଉଁ ପ୍ରତିବନ୍ଧକ ରହିଛି ସେଥିପାଇଁ ଉକ୍ତ ମୃତଦେହ ଗୁଡିକୁ ଦିଲ୍ଲୀରେ ସେମାନଙ୍କ ପରିଜନଙ୍କୁ ହସ୍ତାନ୍ତର ନ କରି ଫେରାଇ ଦିଆଯାଇଥିଲା। ସବିଶେଷ ସୂଚନା ଅନୁଯାୟୀ ସେମାନଙ୍କ ମୃତ୍ୟୁ କରୋନା ଯୋଗୁ ହୋଇ ନ ଥିବା ସ୍ପଷ୍ଟ ହୋଇଛି। ପରିବାର ଲୋକଙ୍କ କହିବା ଅନୁସାରେ ଆବଶ୍ୟକୀୟ ମୃତ୍ୟୁ ପ୍ରମାଣ ପତ୍ର ଥିଲେ ମଧ୍ୟ ମୃତଦେହକୁ ଫେରାଇ ଦିଆଯିବା ଦୁଃଖର ବିଷୟ। ସୂଚନାଯୋଗ୍ୟ, ୟୁଏଇରେ କାମ କରୁଥିବା ସଞ୍ଜିବ କୁମାର ଓ ଜଗସିର ସିଂଙ୍କ ମୃତ୍ୟୁ ଏପ୍ରିଲ ୧୩ରେ ହୋଇଥିବା ବେଳେ କମଲେଶ ଭଟ୍ଟଙ୍କ ମୃତ୍ୟୁ ଏପ୍ରିଲ ୧୭ରେ ହୃଦଘାତ ଯୋଗୁ ହୋଇଥିଲା। ଏହାପରେ ଭଟ୍ଟଙ୍କ ମୃତଦେହ ଫେରିଯିବା ଘଟଣାକୁ ନେଇ ମାମଲା ଦିଲ୍ଲୀ ହାଇକୋର୍ଟ ପହଞ୍ଚିଛି। ଏ ସମ୍ପର୍କରେ ସରକାର ନିଜ ପକ୍ଷ ରଖି ଘଟଣାର ସମାଧାନ କରିବେ ବୋଲି କହିଛନ୍ତି। ଏହି ଘଟଣାକୁ ନେଇ ୟୁଏଇରେ ଥିବା ଭାରତୀୟ ରାଷ୍ଟ୍ରଦୂତ କ୍ଷୋଭ ପ୍ରକାଶ କରିଛନ୍ତି।

Share