Categories: ଫୁରସତ

କରୋନା: ଆତଙ୍କିତ ନ ହୋଇ ସତର୍କ ରହିବା ଜରୁରୀ

୩୧ ଡିସେମ୍ବର ୨୦୧୯। ଚାଇନାସ୍ଥ ଉହାନ ସହରର ହୁବେଇ ପ୍ରାନ୍ତରେ ଅନେକ ନିମୋନିଆ କେସ୍‌ ଆସିଥିବା ଓ୍ବାର୍ଲ୍‌ଡ ହେଲ୍‌ଥ ଅର୍ଗାନାଇଜେଶନ୍‌ ସତର୍କ କରାଇଥିଲେ। ତେବେ ଏହା କେଉଁ ଭାଇରସ୍‌ ଯୋଗୁଁ ହେଉଛି ଜଣାପଡ଼ି ନ ଥିଲା। କାରଣ ଅନ୍ୟ ପରିଚିତ ଭାଇରସ୍‌ ସହ ଏହା ମ୍ୟାଚ୍‌ କରି ନ ଥିଲା। ଏହାର ଏକ ସପ୍ତାହ ପରେ ଅର୍ଥାତ୍‌ ୭ ଜାନୁୟାରୀ ୨୦୨୦ରେ ଚାଇନା ସରକାର ଜଣାଇଲେ ଯେ, ଏହି ନୂତନ ଭାଇରସ୍‌ର ନାମ କରୋନା ଭାଇରସ୍‌। ଏହାକୁ ସ୍ବଳ୍ପକାଳୀନ ଭାବେ 2019-nCoV ନାମରେ ବି ନାମିତ କରାଯାଇଥିଲା। ଦିନ କେଇଟା ଭିତରେ ଏହି ଭାଇରସ୍‌ ତା’ର କାୟା ବିସ୍ତାର କରିବାକୁ ଲାଗିଲା। ଉହାନ ସହରରୁ ଏହା ଚାଇନାର ବେଜିଂ, ସାଂଘାଇ ଆଦି ଅନ୍ୟାନ୍ୟ ସହରକୁ ବ୍ୟାପିଗଲା। କେବଳ ଚାଇନାରେ କରୋନା ଭାଇରସ୍‌ରେ ମୃତ୍ୟୁସଂଖ୍ୟା ଏଯାବତ୍‌ ୧୩୨ରୁ ଊର୍ଦ୍ଧ୍ୱ ହେବା ସହ ଆକ୍ରାନ୍ତଙ୍କ ସଂଖ୍ୟା ୬,୦୦୦ରୁ ଊର୍ଦ୍ଧ୍ୱ ହେଲାଣି। ତେଣୁ ଚାଇନା ସରକାର ରାଷ୍ଟ୍ରର କେତେକ ସହରକୁ ବାହ୍ୟ ଜଗତଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ କରିଦେଇ ଯାନବାହନଗୁଡିକର ଗମନାଗମନକୁ ବନ୍ଦ କରିଦେଇଛନ୍ତି। ଚାଇନାର କିମ୍ବଦନ୍ତୀ ପ୍ରାଚୀର ମଧ୍ୟ କଟକଣାରୁ ମୁକ୍ତ ରହିପାରିନି। ଚାଇନାର ନବବର୍ଷ ଉତ୍ସବକୁ ବି ଘୁଞ୍ଚାଇ ଦିଆଯାଇଛି। ତେବେବି ଚାଇନାର ଉହାନ ପ୍ରାନ୍ତରୁ ଆରମ୍ଭ ହୋଇଥିବା ଏହି ଭାଇରସ୍‌ ଏବେ ପୃଥିବୀର ବିଭିନ୍ନ ସ୍ଥାନକୁ ବ୍ୟାପିଗଲାଣି। ଥାଇଲାଣ୍ଡରେ ୧୪ଜଣ ସଂକ୍ରମିତ ହୋଇଥିବାବେଳେ ହଂକଂରେ ୮, ଆମେରିକା, ତାଇଓ୍ବାନ୍‌, ଅଷ୍ଟ୍ରେଲିଆ ଓ ମାକାଉରେ ୫ ଜଣ ଲେଖାଏ; ସିଙ୍ଗାପୁର, ଦକ୍ଷିଣ କୋରିଆ ଓ ମାଲେସିଆରେ ୪ ଜଣ ଲେଖାଏ; ଜାପାନରେ ୭, ଫ୍ରାନ୍ସରେ ୪, କାନାଡ଼ାରେ ୩, ଭିଏତ୍‌ନାମରେ ୨; ଭାରତ, ନେପାଳ, କାମ୍ବୋଡ଼ିଆ ଓ ଜର୍ମାନୀରେ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଚାଇନା ବ୍ୟତୀତ ଅନ୍ୟ କେଉଁ ସ୍ଥାନରେ ଏହି ଭାଇରସ୍‌ରେ ମୃତ୍ୟୁ ହୋଇଥିବା ନଜରକୁ ଆସି ନାହିଁ। ତେବେ ଉହାନରେ ଭାରତର କିଛି ଛାତ୍ର ଆତଙ୍କିତ ଅବସ୍ଥାରେ ଅଛନ୍ତି। ସେମାନେ ବାହାରକୁ ନ ବାହାରିପାରି ବନ୍ଦୀ ଭଳି ଖାଦ୍ୟ, ପାନୀୟ ଅଭାବରେ ଦିନ ବିତାଉଛନ୍ତି। ଏଣୁ ଭାରତ ସରକାର ଏବଂ ଚାଇନାସ୍ଥ ଭାରତୀୟ ଦୂତାବାସକୁ ଅନୁରୋଧ କରିଛନ୍ତି ଯେତେଶୀଘ୍ର ସମ୍ଭବ ସେମାନଙ୍କୁ ଭାରତକୁ ନେଇଯିବା ପାଇଁ। ସେହିଭଳି ସେଠାକୁ ତାଲିମ ନେବା ପାଇଁ ଯାଇଥିବା ୫୮ ଭାରତୀୟ ପୁରୁଷ ଓ ମହିଳା ମଧ୍ୟ ସେଠାରୁ ତାଙ୍କୁ ନେଇଯିବାକୁ ଅନୁରୋଧ କରିଛନ୍ତି।

ଓଡ଼ିଶାରେ କରୋନା ସତର୍କତା: କରୋନା ଭାଇରସ୍‌ ଯେମିତି ରାଜ୍ୟରେ ତା’ର କାୟା ବିସ୍ତାର ନ କରିପାରେ, ସେଥିପାଇଁ ଓଡ଼ିଶା ସରକାର ଯଥାସମ୍ଭବ ପଦକ୍ଷେପ ନେଇଛନ୍ତି। ଡାକ୍ତରଖାନା, ବିମାନବନ୍ଦର, ପୋତାଶ୍ରୟ ସବୁଠି ହାଇ ଆଲର୍ଟ ଜାରି କରାଯାଇଛି। ଆଉ ଯାଞ୍ଚ କଡ଼ାକଡ଼ି ହେଉଛି।

ବିଭିନ୍ନ ଡାକ୍ତରଖାନାରେ ସ୍ବତନ୍ତ୍ର ଓ୍ବାର୍ଡ: ଓଡ଼ିଶାରେ କରୋନା ଭୂତାଣୁ ନ ମିଳିଥିଲେ ହେଁ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ସଜାଗ ଅଛନ୍ତି। ଆଉ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି। ଭାଇରସ୍‌ ଚିହ୍ନଟ ସହ ଆକ୍ରାନ୍ତଙ୍କୁ କିପରି ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯିବ, ସେନେଇ କଟକ ଏସ୍‌ସିବି ମେଡିକାଲ କଲେଜ, ବୁର୍ଲାର ଭିମ୍‌ସାର୍‌, ଭୁବନେଶ୍ୱରସ୍ଥ କ୍ୟାପିଟାଲ ହସ୍‌ପିଟାଲ ଓ ଝାରସୁଗୁଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ଆଇସୋଲେଶନ୍‌ ଓ୍ବାର୍ଡ ଖୋଲାଯାଇଛି। ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତା’ ସହିତ ଦେଶ ବାହାରୁ ବିଶେଷକରି ଚାଇନାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖିବା ସହ ଯାଞ୍ଚ କରିବାକୁ ଭୁବନେଶ୍ୱର ବିମାନବନ୍ଦର, ପାରାଦୀପ ପୋର୍ଟ ଓ ରେଲଓ୍ବେ କର୍ତ୍ତୃପକ୍ଷଙ୍କୁ ପୂର୍ବରୁ ନିର୍ଦ୍ଦେଶ ଯାଇଛି। ହୋଟେଲରେ ରହୁଥିବା ବ୍ୟକ୍ତିଙ୍କୁ ସେଲ୍ଫ ଡିକ୍ଲାରେଶନ୍‌ ଦେବା ପାଇଁ ହୋଟେଲ ଆସୋସିଏଶନ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଭୁବନେଶ୍ୱରରୁ ମାଲେସିଆକୁ ବିମାନ ଚଳାଚଳ ହେଉଥିବାରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସ୍କ୍ରିନିଂ ବ୍ୟବସ୍ଥା ଆରମ୍ଭ ହୋଇଛି।

ଏସ୍‌ସିବି ମେଡିକାଲରେ କରୋନା ତତ୍ପରତା: ଆତଙ୍କ ସୃଷ୍ଟିକାରୀ କରୋନା ଭାଇରସ୍‌ର ମୁକାବିଲା ପାଇଁ ଏସ୍‌ସିବି ମେଡିକାଲରେ ସ୍ବତନ୍ତ୍ର ଓ୍ବାର୍ଡ ଖୋଲାଯାଇଛି। ଚକ୍ଷୁ ବିଭାଗର ଚତୁର୍ଥ ମହଲାରେ ଏହା ଅଛି। ୪୦ ବେଡ୍‌ ଓ ୮ ଆଇସିୟୁ ବେଡ୍‌କୁ ନେଇ ଏହାକୁ ଗଠନ କରାଯାଇଛି। ଓ୍ବାର୍ଡକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମଟି ହେଉଛି ଆଇସୋଲେଶନ୍‌ ଓ୍ବାର୍ଡ । ଏଠାରେ ପଜିଟିଭ ରୋଗୀଙ୍କୁ ରଖାଯିବାର ବ୍ୟବସ୍ଥା ହୋଇଛି। ୨ୟଟିରେ ସନ୍ଦିଗ୍ଧ ରୋଗୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ମେଡିକାଲର ପଲମ୍‌ନାରୀ ମେଡିସିନ, ମେଡିସିନ ଓ ନିଶ୍ଚେତନା ବିଭାଗ ଡାକ୍ତରମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଦଳ ଗଠନ କରାଯାଇଛି। ମେଡିସିନ ବିଭାଗର ସହଯୋଗୀ ପ୍ରଫେସର ପ୍ରସାଦ ମହାନ୍ତିଙ୍କ କହିବାନୁଯାୟୀ ଏହା ସାଧାରଣ ଥଣ୍ଡା, ଜ୍ୱର କରିଥାଏ। କିନ୍ତୁ ଯେତେବେଳେ ପଶୁ ଏବଂ ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ସଂକ୍ରମଶ କରୁଥିବା କରୋନା ଭାଇରସ୍‌ ମଣିଷ ଦେହକୁ ଆସେ, ସେତେବେଳେ ତାହା ସାଂଘାତିକ ରୂପ ଧାରଣ କରିଥାଏ। ଚାଇନାର ଉହାନ ସହରରେ ସାମୁଦ୍ରିକ ଖାଦ୍ୟର ଏକ ବଡ଼ ବଜାର ରହିଛି। ଏଠାରେ ଜୀବନ୍ତ ଜୀବଜନ୍ତୁଙ୍କୁ ଖାଇବା ପାଇଁ ଚୋରାରେ ବିକ୍ରି କରାଯାଇଥାଏ। ସାପକୁ ମଧ୍ୟ ଏଠାରେ ବିକ୍ରି କରାଯାଏ। ତେଣୁ ସେଠାକାର ଲୋକେ ସାପ ଖାଇ ଏହି ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଥିବା ଡାକ୍ତର ମହାନ୍ତି କହିଛନ୍ତି।

ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ଚାଲିଛି, ଇନ୍ସପେକ୍ସନ ରୁମ୍‌ ଖୋଲିଛି: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯାଞ୍ଚ କଡ଼ାକଡ଼ି କରାଯାଇଛି। କ୍ୟାପିଟାଲ ହସ୍ପିଟାଲର ୨ ଡାକ୍ତର, ୨ ଫାର୍ମାସିଷ୍ଟ ଓ ୨ ଷ୍ଟାଫ ନର୍ସ ରହି ବାହାରୁ ଆସୁଥିବା ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ସହ କରୋନା ଭାଇରସ୍‌ ଚିହ୍ନଟ ପାଇଁ ଉଦ୍ୟମ କରାଯାଉଛି। ଥର୍ମାଲ ସ୍କ୍ରିନିଂ କରାଯାଉଛି। ଯଦ୍ଦ୍ବାରା ବ୍ୟକ୍ତିଙ୍କ ତାପମାତ୍ରା ମପାଯାଉଛି। ଏହାବାଦ୍‌ ବିମାନ ବନ୍ଦରରେ ୨୪ ଘଣ୍ଟିଆ ଇନ୍ସପେକ୍ସନ ରୁମ ଖୋଲାଯାଇଛି। କାଶ, ଥଣ୍ଡା, ଛିଙ୍କ ଲକ୍ଷଣ ଦେଖାଯାଉଥିବା ଯାତ୍ରୀଙ୍କୁ ଅଗ୍ରାଧିକାର ଦେଇ ଯାଞ୍ଚ କରାଯାଉଛି। ଗତ ୨୮ ଦିନ ଭିତରେ ବିଦେଶରୁ ଆସିଥିବା ବ୍ୟକ୍ତିଙ୍କଠାରେ ଯଦି ଏହି ଲକ୍ଷଣ ଦେଖାଯାଉଛି, ତେବେ ଯାଞ୍ଚ କରାଇବା ପାଇଁ ପରାମର୍ଶ ଦିଆଯାଉଛି। ଖାସ୍‌କରି ମାଲେସିଆରୁ ଆସୁଥିବା ଯାତ୍ରୀଙ୍କ ଯାଞ୍ଚ କଡାକଡି ହେଉଛି। କୌଣସି ବ୍ୟକ୍ତିଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହେଲେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲର ଆଇସୋଲେଶନ୍‌ ଓ୍ବାର୍ଡରେ ଚିକିତ୍ସା କରିବାର ବ୍ୟବସ୍ଥା କରାଯାଇଛି। ବିମାନ ବନ୍ଦରରେ ମାଗଣା ମାସ୍କ ବି ଯୋଗାଯାଉଛି।
ପାରାଦୀପ ବନ୍ଦରରେ ବ୍ୟାପକ ସତର୍କତା ବ୍ୟବସ୍ଥା: କରୋନା ସଂକ୍ରମଣ ରୋକିବା ଲାଗି ପାରାଦୀପ ବନ୍ଦରରେ ବ୍ୟାପକ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମଗ୍ର ବିଶ୍ୱର ଯେକୌଣସି ପ୍ରାନ୍ତରୁ ଆସୁଥିବା ପଣ୍ୟବାହୀ ଜାହାଜ ଓ ସେଥିରେ ଥିବା ନାବିକଙ୍କ ପାଇଁ କେତେକ କଟକଣା ଜାନୁୟାରୀ ୨୬ରୁ ଲାଗୁ କରାଯାଇଛି। ଚାଇନା, ଫ୍ରାନ୍ସ, ଅଷ୍ଟ୍ରେଲିଆ, ଥାଇଲାଣ୍ଡ, ଜାପାନ, ଦକ୍ଷିଣ କୋରିଆ, ଆମେରିକା, ଭିଏତ୍‌ନାମ, ସିଙ୍ଗାପୁର, ନେପାଳ, ହଂକଂ, ମକାଓ, ତାଇଓ୍ବାନ୍‌ ପ୍ରଭୃତି ଦେଶର ଜାହାଜକୁ ବନ୍ଦରରେ ପ୍ରବେଶ ପାଇଁ କଟକଣା କରାଯାଇଛି। ଏଥିସହିତ ସମସ୍ତ ବିଦେଶୀ ନାବିକଙ୍କ ପାଇଁ ୪ ନମ୍ବର ଫାଟକଠାରେ ଏକ ସ୍କ୍ରିନିଂ ମେଶିନ ଯାଞ୍ଚ ପାଇଁ ରଖାଯାଇଛି ବୋଲି ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ ସୂଚନା ଦେଇଛନ୍ତି। ବନ୍ଦର ଚିକିତ୍ସାଳୟରେ ସ୍ବତନ୍ତ୍ର କ୍ୟାବିନ ପ୍ରସ୍ତୁତ କରାଯାଇଛି ବୋଲି ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରହଲ୍ଲାଦ ପଣ୍ଡା କହିଛନ୍ତି। ଏଥିସହ ଗତ ୨୭ରେ ଜଗତ୍‌ସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟା ପଣ୍ଡା ପାରାଦୀପର ୨ ମେଡିକାଲ ଆସି ସ୍ଥିତି ଯାଞ୍ଚ କରିଛନ୍ତି। ଏହି ଭାଇରସ୍‌ରେ ଆକ୍ରାନ୍ତ ରୋଗୀଙ୍କ ଲକ୍ଷଣ ଓ ନିରାକରଣ ସମ୍ପର୍କରେ ପାରାଦୀପ ବନ୍ଦର ଚିକିତ୍ସାଳୟ ପକ୍ଷରୁ ଏକ ଛୋଟ ସଚେତନତା ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ପ୍ରଚାର କରାଯାଉଛି।

ଝାରସୁଗୁଡା ଭିଏସ୍‌ଏସ୍‌ ବିମାନ ବନ୍ଦରରେ ‘କରୋନା’କୁ ନେଇ ହାଇଆଲର୍ଟ: ଝାରସୁଗୁଡା ଜିଲାରେ ବେଦାନ୍ତ, ଟାଟା, କ୍ରୋସାକୀ ଆଦି ବଡ଼ବଡ଼ ଶିଳ୍ପାନୁଷ୍ଠାନ ରହିଛି। ତେଣୁ ବ୍ୟବସାୟିକ ଗସ୍ତରେ ଚାଇନାରୁ ଅଧିକାରୀ ଓ କୁଶଳୀ କାରିଗର ଆସିଥାଆନ୍ତି। ତା’ଛଡା ଦେଶ ବିଦେଶର ଅନେକ ଲୋକ ବିଭିନ୍ନ କାର୍ଯ୍ୟରେ ଏଠାକୁ ଆସିଥାନ୍ତି। ସେଥିପାଇଁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ତରଫରୁ ହାଇଆଲର୍ଟ ଜାରି କରାଯାଇଛି ବୋଲି ବିମାନବନ୍ଦର ନିର୍ଦ୍ଦେଶକ ସ୍ବଦେଶ ଚୌହାନ କହିଛନ୍ତି ା

ଏପରି କି ସ୍ବାସ୍ଥ୍ୟ ବିଭାଗ ତରଫରୁ ଆଡ୍‌ଭାଇଜରି ଜାରି କରାଯାଇଛି ା ଏନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ତତ୍ତ୍ୱାବଧାନରେ ବିମାନ ବନ୍ଦରରେ ଏକ ସ୍କ୍ରିନିଂ ସେଣ୍ଟର ଖୋଲାଯାଇଛି ା ଏହି ସ୍କ୍ରିନିଂ ସେଣ୍ଟରରେ ଆର୍‌ବିଏସ୍‌କେ ଓ ଏମ୍‌ଏଚ୍‌ୟୁ ଟିମ୍‌ର ଜଣେ ମହିଳା ଓ ଜଣେ ପୁରୁଷ ଡାକ୍ତରଙ୍କ ସମେତ ସ୍ବାସ୍ଥ୍ୟ କର୍ମଚାରୀମାନେ ଉପସ୍ଥିତ ଅଛନ୍ତି ା ଏହି ସେଣ୍ଟରରେ ବିମାନରେ ଯାତାୟାତ କରୁଥିବା ସନ୍ଦିଗ୍ଧ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି ା ପରୀକ୍ଷା ପରେ ଯଦି ଏହି ଭାଇରସ୍‌ରେ କେହି ଯାତ୍ରୀ ଆକ୍ରାନ୍ତ ହୋଇଥିବା ଜଣାପଡିବେ, ତାହାଲେ ସେମାନଙ୍କୁ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯିବା ବ୍ୟବସ୍ଥା ରହିଛି ବୋଲି ଜିଲା ମୁଖ୍ୟଚିକିତ୍ସକ ଡା. ଜଗଦୀଶ ଚନ୍ଦ୍ର ବାରିକ କହିଛନ୍ତି ା କରୋନା ଭାଇରସ୍‌କୁ ଦୃଷ୍ଟିରେ ରଖି ଚାଇନାକୁ ଯେମିତି କେହି ଯାତାୟାତ କରି ନ ପାରିବେ, ଏନେଇ ଜିଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ରଖିଛନ୍ତି ବୋଲି ଜିଲାପାଳ ସରୋଜ କୁମାର ସାମଲ କହିଛନ୍ତି ା

ସର୍ଦ୍ଦି, ଇନ୍‌ଫ୍ଲୁଏଞ୍ଜା ଚିକିତ୍ସା ଭଳି ଏହାକୁ ଚିକିତ୍ସା କରାଯିବ
– ଡା. ନିତ୍ୟାନନ୍ଦ ସ୍ବାଇଁ

ବିଶିଷ୍ଟ ପୁଷ୍ଟି ବିଜ୍ଞାନୀ ଡା. ନିତ୍ୟାନନ୍ଦ ସ୍ବାଇଁ କହନ୍ତି, ‘କରୋନା ଭାଇରସ୍‌ର ଭୂତାଣୁ ଦେଖିବାକୁ ଗୋଲାକାର। ଏହା ନିଜର ଆକୃତି, କାର୍ଯ୍ୟ, ବଂଶବୃଦ୍ଧିର ପଦ୍ଧତି ବଦଳାଇବାରେ ଖୁବ୍‌ ଧୁରନ୍ଧର। ଭୂତାଣୁଟି ଆର୍‌.ଏନ୍‌.ଏ. ଜାତୀୟ। ଏହାର ଚାରିପଟେ ଉଦ୍‌ଗତ ଅଂଶମାନ ବଳୟ ଆକାରରେ ରହିଥିବାରୁ ଓ ସଂପୂର୍ଣ୍ଣ ସୂର୍ଯ୍ୟୋପରାଗ ସମୟରେ ପରିଦୃଷ୍ଟ ଆଲୋକବଳୟ ବା କରୋନା ଭଳି ଦେଖାଯାଉଥିବାରୁ ଏହାକୁ କରୋନା ଭାଇରସ୍‌ ବୋଲି ନାଁ ଦିଆଯାଇଛି। ଏହି ଭାଇରସ୍‌ର ଚିକିତ୍ସା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ। କୌଣସି ଆଣ୍ଟିବାୟୋଟିକ୍‌ ଔଷଧ ମଧ୍ୟ ଫଳପ୍ରଦ ନୁହେଁ। ସୁତରାଂ ରୋଗୀଠାରେ ପ୍ରକାଶ ପାଉଥିବା ଲକ୍ଷଣକୁ ଚାହିଁ ଚିକିତ୍ସା କରାଯିବା ବିଧି। ଯନ୍ତ୍ରଣା ନିବାରକ ଓ ଜ୍ୱର ନିବାରକ ଔଷଧ ସମେତ ସ୍ଥଳ ବିଶେଷରେ ରୋଗୀକୁ ଅମ୍ଳଜାନ ଦିଆଯାଇପାରେ। ସର୍ଦ୍ଦି ଓ ଇନ୍‌ଫ୍ଲୁଏଞ୍ଜାର ନିବାରଣ ପାଇଁ ଯେଉଁ ପ୍ରକାରର ନିବାରଣମୂଳକ ବ୍ୟବସ୍ଥାମାନ ଅବଲମ୍ବନ କରାଯାଏ, କରୋନା ଭାଇରସ୍‌ ସଂକ୍ରମଣର ନିବାରଣ ପାଇଁ ସେହି ପ୍ରକାରର ବ୍ୟବସ୍ଥାମାନ ଅବଲମ୍ବନ କରିବା ଆବଶ୍ୟକ। ଏହାବାଦ୍‌ ନିମ୍ନୋକ୍ତ ଉପାୟ ଆପଣେଇଲେ ମଧ୍ୟ ଭୂତାଣୁ ସଂକ୍ରମଣରୁ ବର୍ତ୍ତି ପାରିବେ।

୧. ରୋଗର ନିବାରଣ ପାଇଁ କୌଣସି ପ୍ରତିଷେଧକ ଟିକା ନାହିଁ। ତେଣୁ ସୁସ୍ଥ ବ୍ୟକ୍ତିମାନେ ଭୂତାଣୁ ସଂକ୍ରମିତ ରୋଗୀଙ୍କଠାରୁ ଯଥାସମ୍ଭବ ଦୂରେଇ ରହିବା ଉଚିତ। ତା’ସହ ଅବାଧରେ ମିଳାମିଶା କରିବା ଆଦୌ ନିରାପଦ ନୁହେଁ।
୨. ରୋଗୀ କାଶିବା ଓ ଛିଙ୍କିବାବେଳେ ପାଟି ଓ ନାକ ପାଖରେ ରୁମାଲ ରଖିବା ଆବଶ୍ୟକ। ସେଭଳି ରୁମାଲକୁ ସୁସ୍ଥ ବ୍ୟକ୍ତି ତଥା ପରିବାର ଲୋକେ ଛୁଇଁବା ମନା।
୩. ହାତକୁ ଏକାଧିକ ଥର ଗରମ ପାଣି ଓ ହାତଧୁଆ ଲୋଶନରେ ଭଲଭାବେ ଧୋଇନେବା ବାଂଛନୀୟ। ନିଜେ ପରିଷ୍କାର ପରିଚ୍ଛନ୍ନ ରହିବା ସହ ଆଖି, ନାକ ଓ ପାଟିକୁ ହାତ କି ଆଙ୍ଗୁଠିରେ ନ ଛୁଇଁବା ନିରାପଦ।
୪. ଏହି ସମୟରେ ସାମୁଦ୍ରିକ ଜୀବଜନ୍ତୁ ନ ଖାଇବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ସତର୍କ କରିଛନ୍ତି। ମାଂସ, ଅଣ୍ଡାକୁ ଭଲ ଭାବରେ ସିଝେଇ ଖାଇବା ଉଚିତ।
୫. ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ଡାକ୍ତର, ନର୍ସ ଓ ଅନ୍ୟମାନେ ମୁହଁରେ ମାସ୍କ ଲଗେଇବା, ଶରୀରକୁ ସମ୍ପୂର୍ଣ୍ଣ ଆବୃତ କରି ରଖୁଥିବା ଅଣୁଜୀବ ବିରୋଧୀ ସ୍ବତନ୍ତ୍ର ପୋଷାକ ପରିଧାନ କରିବା, ଆଖିରେ ରଙ୍ଗିନ୍‌ ଚଷମା ପିନ୍ଧିବା ଓ ଜୋତାକୁ ପ୍ଲାଷ୍ଟିକ ଖୋଳଦ୍ୱାରା ଘୋଡେଇ ରଖିବା ଜରୁରୀ।
ଭୟଭୀତ ହେବା ଉଚିତ ନୁହେଁ
– ପ୍ରଫେସର ଡା. ଜୟନ୍ତ ପଣ୍ଡା, ଭେଷଜ ବିଭାଗ, ଏସ୍‌ସିବି ମେଡିକାଲ କଲେଜ

କରୋନା ଏପରି ଏକ ଭୂତାଣୁ ଯାହା ପଶୁପକ୍ଷୀ, ସରୀସୃପଙ୍କଠାରେ ଦେଖାଯାଏ। ମଣିଷଙ୍କ ପାଖରେ ଏହା ଥଣ୍ଡା, କାଶ, କଫ ଆଦି କରାଇଥାଏ। ଏହା ବେଳେବେଳେ ଜୁନୋସିସ୍‌ ବା ପଶୁଙ୍କଠାରୁ ମଣିଷଙ୍କୁ ଆକ୍ରାନ୍ତ ହୁଏ। ଚାଇନା ଲୋକେ ସରୀସୃପ, ପଶୁପକ୍ଷୀ ଆଦି ଖାଇ ଥାଆନ୍ତି। ତେଣୁ ୨୦୦୨ ଓ ୨୦୧୨ରେ ଏହିଭଳି ସଂକ୍ରାମକ ରୋଗ ସେଠାରେ ହୋଇଛି। ସମଗ୍ର ଭାରତରେ ଏପର୍ଯ୍ୟନ୍ତ କେହି ଉକ୍ତ ଭାଇରସ୍‌ରେ ଆକ୍ରାନ୍ତ ହୋଇନାହାନ୍ତି। ତଥାପି ଆମେ ପ୍ରସ୍ତୁତ ଅଛୁ। କଟକ ଏସ୍‌ସିବିରେ ଆଇସୋଲେଶନ୍‌୍‌ ଓ୍ବାର୍ଡ ହୋଇଛି। ଆଇସିୟୁ ଓ ନର୍ମାଲ୍‌ ଓ୍ବାର୍ଡ ପ୍ରସ୍ତୁତ ଅଛି। ତେଣୁ ଏହି ଭାଇରସ୍‌୍‌କୁ ନେଇ ଏତେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଏହାର ଭାକ୍ସିନ, ଆଣ୍ଟିଡୋଟ୍‌ ନାହିଁ। ତେବେ ଜ୍ୱର, ବ୍ୟାକ୍ଟେରିଆଲ୍‌ ଇନ୍‌ଫେକ୍ସନ ଭଳି ଏଥିପାଇଁ ଆଇଭି ଫ୍ଲୁଇଡଠୁ ଆରମ୍ଭ କରି ଶ୍ୱାସନଳୀ ପ୍ରଦାହ ଅକ୍ସିଜେନ, ଭେଣ୍ଟିଲେଟର୍‌ ଯାଏଁ ସମସ୍ତ ସପୋର୍ଟିଭ୍‌ ଟ୍ରିଟ୍‌ମେଣ୍ଟ ଦେଇ ୭-୧୦ ଦିନ ଭିତରେ ଭୂତାଣୁକୁ ମାରି ରୋଗୀଙ୍କୁ ସମ୍ପୂର୍ଣ୍ଣ ଆରୋଗ୍ୟ ପ୍ରଦାନ କରିହେବ। ସାଧାରଣତଃ ଭୂତାଣୁର ଆୟୁଷ ୭ ଦିନ। ତେଣୁ ସପୋର୍ଟିଭ ଟ୍ରିଟ୍‌ମେଣ୍ଟ ମାଧ୍ୟମରେ ଭୂତାଣୁକୁ ମାରି କରୋନା ଭାଇରସ୍‌ରୁ ରୋଗୀଙ୍କୁ ସୁସ୍ଥ କରିହେବ।

ହେଲ୍ପ ଲାଇନ୍‌
ନୋବେଲ କରୋନା ଭାଇରସ୍‌ ସଂକ୍ରମଣଜନିତ ଯେକୌଣସି ସନ୍ଦେହ ଦୂର କରିବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ହେଲ୍ପ ଲାଇନ୍‌ ନମ୍ବର ଜାରି ହୋଇଛି। ତାହା ହେଉଛି- ଫୋ: ୦୬୭୪-୨୩୯୦୪୬୬, ମୋ-୯୪୩୯୯୯୪୮୫୭। ଏହି ନମ୍ବରରେ ରାଜ୍ୟ ଜନସ୍ବାସ୍ଥ୍ୟ ନିୟନ୍ତ୍ରଣ କକ୍ଷ ଅଧିକାରୀଙ୍କ ସହ ସାଧାରଣ ଲୋକେ କଥା ହୋଇପାରିବେ।

ହୋମିଓପାଥିକ୍‌ ଚିକିତ୍ସା
ଯାଜପୁରସ୍ଥ ପାଇକରାପୁରର ହୋମିଓପାଥିକ୍‌ ମେଡିକାଲ ଅଫିସର୍‌ ଡା. ମହାବାହୁ ନାୟକ କହନ୍ତି, ହୋମିଓପାଥିକ ଚିକିତ୍ସାରେ ବି ଏହି ଭୂତାଣୁ ସଂକ୍ରମିତ ରୋଗୀଙ୍କୁ ଭଲ କରିହେବ। ସେଥିପାଇଁ ନିମ୍ନୋକ୍ତ ଔଷଧ ବ୍ୟବହାର କରିବାକୁ ପଡ଼ିବ।
୧. ARSENIC ALB -30ର ୪ଟି ପିଲ୍ସ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ପାଞ୍ଚଦିନ ଯାଏଁ ଖାଆନ୍ତୁ।
୨. ଷଷ୍ଠଦିନରେ କିଛି ମେଡିସିନ ଖାଇବେ ନାହିଁ।
୩. ସପ୍ତମ ଦିନ ସକାଳେ PHOSPHORUS- 30ର ୪ଟି ପିଲ୍ସ ଖାଇବେ। ଏହାସହିତ RHUS-TOX-30, BELLADONA-30 ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଖାଇପାରିବେ।
ପ୍ରତିଦିନ ନିମ୍ନୋକ୍ତ ହୋମିଓ ମଦର ଟିଙ୍କଚର୍‌ ବ୍ୟବହାର କଲେ ମଧ୍ୟ ଏହି ରୋଗର ନିବାରଣ ସହ ଆରୋଗ୍ୟ ଲାଭ କରିପାରିବେ। ଏହି ଉପାୟରେ ନିମ୍ନୋକ୍ତ ମଦର ଟିଙ୍କଚର୍‌କୁ ୧୫ଦିନ ବ୍ୟବହାର କରନ୍ତୁ, ସୁଫଳ ନିଶ୍ଚୟ ପାଇବେ।
୪. OCIMUM SANCTUM ମଦର ଟିଙ୍କଚର୍‌ (କଳା ତୁଳସୀରୁ ନିଃସୃତ)ର ୧୦ ଟୋପା ସକାଳେ ଓ ୧୦ ଟୋପା ସନ୍ଧ୍ୟାରେ ୩ ଚାମଚ ପାଣିସହ ପିଅନ୍ତୁ।
୫. TINOSPORA CORDIFOLIA ମଦର ଟିଙ୍କଚର୍‌ର ୧୦ ଟୋପା ଅପରାହ୍ଣ ଓ ୧୦ ଟୋପା ରାତିରେ ୩ ଚାମଚ ପାଣିରେ ପିଇବେ।

କରୋନା ଭାଇରସ୍‌ ପାଇଁ ଆୟୁର୍ବେଦିକ୍‌ ଉପଚାର
– ଡା. ବାସୁଦେବ ପ୍ରଧାନ, ସରକାରୀ ଆୟୁର୍ବେଦିକ୍‌ ହସ୍ପିଟାଲ
ସବୁ ଥଣ୍ଡା, କାଶ, ଜ୍ୱର କରୋନା ଭାଇରସ୍‌ ଦ୍ୱାରା ହୋଇ ନ ଥାଏ। ରକ୍ତ ନମୁନା ପରୀକ୍ଷା କଲେ ଜଣାପଡ଼େ ରକ୍ତରେ କରୋନା ଭାଇରସ୍‌ ଅଛି କି ନାହିଁ। ପ୍ରଥମେ ଅତି କମ୍‌ରେ ୫-୭ ଦିନ ଚିକିତ୍ସା କରନ୍ତୁ। ଯଦି ଆରୋଗ୍ୟ ନ ମିଳେ, ଡାକ୍ତରଙ୍କ ପରାମର୍ଶ କରି ରକ୍ତ ପରୀକ୍ଷା କରାଇ ତା’ର ଉପଚାର କରନ୍ତୁ। ସାଧାରଣତଃ ଶୀତଋତୁରେ କିମ୍ବା ଗ୍ରୀଷ୍ମଋତୁ ପରେପରେ ସମସ୍ତ ପ୍ରକାର ଭୂତାଣୁ ସଂକ୍ରମଣଜନିତ ସ୍ବାସ୍ଥ୍ୟ ସମସ୍ୟା ଭୋଗିବାକୁ ପଡିଥାଏ। ଆମେ ସତର୍କ ରହିଲେ ଭୂତାଣୁ ସଂକ୍ରମଣର ସମସ୍ୟା ସମାଧାନ ହୋଇପାରିବ।
ସାଧାରଣତଃ ଶୀତଳ ପରିବେଶରେ ଭୂତାଣୁ ସଂକ୍ରମଣ ସହଜ ହୁଏ। ଆୟୁର୍ବେଦର ଋତୁଚର୍ଯ୍ୟା ମାନି ଚଳିଲେ ଏହି ସମସ୍ୟା ସୀମିତ ହେବ। ଶୀତଳ ପରିବେଶଠାରୁ ଦୂରେଇ ରୁହନ୍ତୁ। ଗରମ ପାଣି ପିଅନ୍ତୁ। ଗରମ ଖାଦ୍ୟ ଖାଆନ୍ତୁ। ଗରମ ପାଣିରେ ଗାଧାନ୍ତୁ, ଜ୍ୱର ଥିଲେ ଗାଧାନ୍ତୁ ନାହିଁ। ଖୋଲା ଦେହରେ ରୁହନ୍ତୁ ନାହିଁ। ବାହାରେ ବୁଲାବୁଲି କରନ୍ତୁ ନାହିଁ। ମୁହଁରେ ମାସ୍କ ଲଗାନ୍ତୁ। ନିଜର ମୋବାଇଲ ବ୍ୟବହାର କରିବାକୁ ଅନ୍ୟକୁ ଦିଅନ୍ତୁ ନାହିଁ। ମୁହଁରେ ହାତ କିମ୍ବା ରୁମାଲ ଦେଇ କାଶନ୍ତୁ, ଛିଙ୍କନ୍ତୁ। ହାତକୁ ସାବୁନରେ ଧୋଇ ଖାଦ୍ୟ ଖାଆନ୍ତୁ। ସହଜରେ ଜୀର୍ଣ୍ଣ ହେଉଥିବା ଖାଦ୍ୟ ଯେମିତିକି ବାର୍ଲି, ଶାଗୁ, ବିସ୍କୁଟ୍‌, ପାଉଁରୁଟି, ରୁଟି ଖାଆନ୍ତୁ। କ୍ଷୀର, ପରିବା ସିଝାପାଣି ପିଅନ୍ତୁ। ମାଛ, ମାଂସ, ଅଣ୍ଡା ଖାଆନ୍ତୁ ନାହିଁ। କଞ୍ଚା ରସୁଣ ଘିଅରେ ଭାଜି ଖାଆନ୍ତୁ। ଏଇ ଋତୁରେ ଅଁଳା ପ୍ରଚୁର ମିଳେ। ସବୁଦିନ ୧-୨ଟି ଚୋବାଇ ଖାଆନ୍ତୁ। କମଳା, ଲେମ୍ବୁ ଖାଆନ୍ତୁ। ଚ୍ୟବନପ୍ରାଶ୍‌, ଖାଆନ୍ତୁ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ପିପ୍‌ଳୀ ଚୂର୍ଣ୍ଣ ବୟସ ଅନୁସାରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ମାତ୍ରା ନିର୍ଦ୍ଧାରଣ କରି ଖାଆନ୍ତୁ।

ଦିନକୁ ୩ ଥର ମହୁ ଉଷୁମ ପାଣିରେ ଖାଆନ୍ତୁ। ସିଦ୍ଧି ମକରଧ୍ୱଜ, ଲକ୍ଷ୍ମୀବିଳାସ ରସ, ସୌଭାଗ୍ୟ ବଟି ଡାକ୍ତରଙ୍କ ପରାମର୍ଶ କ୍ରମେ ଖାଆନ୍ତୁ। ନାକ ବନ୍ଦ ରହୁଥିଲେ ଉଷୁମ ପାଣିରେ ନୀଳଗିରି ତେଲ ପକାଇ ଆଘ୍ରାଣ କରନ୍ତୁ। ଯେକୌଣସି ଆୟୁର୍ବେଦ ପେନ୍‌୍‌ବାମ କପାଳ ଓ ନାକରେ ଲଗାନ୍ତୁ। ଏସବୁ ଔଷଧ ଦ୍ୱାରା ସମସ୍ତ ପ୍ରକାରର ଭାଇରାଲ ଜ୍ୱର ଓ ଇନଫ୍ଲୁଏଞ୍ଜା ଭଲ କରାଯାଇପାରିବ। ବର୍ଷା ଓ ଶୀତଋତୁ ଚର୍ଯ୍ୟା ମାନି ଚଳିଲେ ଏ ସମସ୍ୟା ଜଟିଳ ହେବ ନାହିଁ।

ଚାଇନାରୁ ଫେରୁଫେରୁ ନିଜର ଚେକ୍‌ଅପ୍‌ କରାଇଥିଲେ ସମ୍ବିତ: ପୁରୀ ଜିଲା, କାକଟପୁର ବ୍ଲକ କୁଣ୍ଢେଇ ପଞ୍ଚାୟତ ବାଲିସାହି ଗ୍ରାମର ସମ୍ବିତ ନାୟକ। ୨୦୧୯ ନଭେମ୍ବର ମାସରୁ ଥିଲେ ଚାଇନାର ଉସିରେ। ସେଠାରେ ସେ ଏକ କମ୍ପାନୀରେ ଟେକ୍ନିକାଲ ମ୍ୟାନେଜର ଭାବେ କାମ କରନ୍ତି। ଜାନୁୟାରୀ ୧୫ରୁ ତାଙ୍କ ମୋବାଇଲ୍‌କୁ ଭାଇରସ୍‌ ପ୍ରତି ସତର୍କ ରହିବା ସହ ମାସ୍କ ପିନ୍ଧି ବାହାରକୁ ଯିବା, ବାହାରୁ ଘରକୁ ଆସିଲେ ହ୍ୟାଣ୍ଡଓ୍ବାଶ୍‌ କରିବା ଆଦିର ମେସେଜ୍‌ ଆସିଥିଲା। ଏହାବାଦ୍‌ ଚାଇନା ନବବର୍ଷ ପାଇଁ ସେଠାରେ ୧୦ ଦିନ ଛୁଟି ହୁଏ। ତେଣୁ ଏହି ଛୁଟିରେ ସେ ଗାଁକୁ ଫେରିଥିଲେ। ସମ୍ବିତ କହନ୍ତି, ‘୨୩ ଜାନୁୟାରୀରେ ମୁଁ ସେଠାରୁ ବାହାରି ସାଂଘାଇ, ହଂକଂ ଦେଇ କଲିକତାରେ ୨୪ରେ ପହଞ୍ଚିଲି। ସେଠି ମୋର ଥଣ୍ଡା, କାଶ, ଛିଙ୍କ ଆରମ୍ଭ ହୋଇଥିଲା। ଏୟାରପୋର୍ଟରେ ଥର୍ମାଲ ସ୍କ୍ରିନିଂ ହୋଇଥିଲେ ହେଁ ଏହି ଭାଇରସ୍‌ରେ ସଂକ୍ରମିତ ହୋଇଥିଲେ ୧୪ ଦିନ ବା ଓ୍ବିଣ୍ଡୋ ପିରିୟଡରେ ତାହା ଜଣାପଡେନି। ତେଣୁ ସେହିଦିନ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ୨୫ ତାରିଖରେ ମୁଁ ନିଜେ ଯାଇଥିଲି କ୍ୟାପିଟାଲ ହସ୍ପିଟାଲ ମୋର ଚେକ୍‌ଅପ୍‌ କରାଇବା ପାଇଁ। କାରଣ ମୁଁ ରହୁଥିବା ସ୍ଥାନ ଉସିରେ ବି ଦୁଇଜଣ ସଂକ୍ରମିତ ହୋଇଥିଲେ। ତା’ଛଡା ମୁଁ ସାଂଘାଇ ଓ ହଂକଂ ଦେଇ ଆସିଥିଲି। ହେଲେ ସେତେବେଳେ କ୍ୟାପିଟାଲ ହସ୍ପିଟାଲରେ ଏହି ଭାଇରସ୍‌ ସମ୍ପର୍କରେ ଏତେ ଅବଗତ ନ ଥିଲେ। ଆଉ ମତେ ବିଶେଷ ଧ୍ୟାନ ଦେଇ ନ ଥିଲେ। ହେଲେ ଏହିକଥା କିଛି ଗଣମାଧ୍ୟମରେ ପ୍ରସାର ହେବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ମତେ ୨୬ ତାରିଖ ସକାଳେ ଡାକିଥିଲେ। ଆଉ ମୋର ରକ୍ତନମୁନା ନେବା ସହ ଏକ୍ସ-ରେ କରିଥିଲେ। ଏପର୍ଯ୍ୟନ୍ତ ରିପୋର୍ଟ ଆସିନି। ହେଲେ ଏବେ ମୋର ଛିଙ୍କ, କାଶ ଭଲ ହୋଇଛି। ତେଣୁ କିଛିଟା ସୁସ୍ଥ ଅନୁଭବ କରୁଛି। ଚାଇନାରେ ଏଭଳି ସଂକ୍ରମଣ ସେମାନଙ୍କ ଖାଦ୍ୟପେୟ ଯୋଗୁ ହୋଇଥାଏ। କାରଣ ସେଠାରେ ମଲାମଣିଷ ଛୁଆଠୁ ଆରମ୍ଭ କରି ସମସ୍ତ ପ୍ରକାରର ପଶୁପକ୍ଷୀ ଓ ସରୀସୃପ ବି ଲୋକେ ଖାଆନ୍ତି।

-ଶିବାନୀ ମହାନ୍ତି
କୁମାରଶ୍ରୀ, ନୀଳେନ୍ଦ୍ର କୁମାର ଗଜେନ୍ଦ୍ର, ଶରତ, କାକଟପୁର

Share